ରାଜ୍ୟରେ କମୁଛି କରୋନା, ଆଣୁଛି ଆଶ୍ୱସ୍ତି । ୫ ଦିନରେ ହ୍ରାସ ପାଇଲା ୪ ପ୍ରତିଶତ ସଂକ୍ରମଣ ହାର । ରଜ ପରେ ଲକଡାଉନ ଖୋଲିବେ କି ସରକାର?

306

କନକ ବ୍ୟୁରୋ: ଓଡ଼ିଶାର କରୋନା ମ୍ୟାପରେ ଏବେ ଧୀରେ ଧୀରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା କମି ଆସୁଛି । ଗତମାସରେ ଯେତେବେଳେ ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷ ଦେଇ ଗତି କରୁଥିଲା, ସେତେବେଳେ ଗୋଟିଏ-ଦୁଇଟି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାଗୁଡିକ ରେଡ୍ ଜୋନରେ ରହିଥିଲେ । ତେବେ ଆଜିର କରୋନା ମ୍ୟାପରେ ୧୩ଟି ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ୧୭ଟି ଜିଲ୍ଲା ୟେଲୋ ଓ ଗ୍ରୀନ୍ ଜୋନ୍କୁ ଆସି ଯାଇଛନ୍ତି । ଏହାର ଅର୍ଥ ହେଉଛି, ଦୈନିକ ଯେତିକି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସଂକ୍ରମଣ ହାର କମୁଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ଭଳି ଲାଗୁଛି ।

ଜୁନ ମାସ ଆରମ୍ଭରୁ ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ମେ’ ମାସ ମଧ୍ୟ ଭାଗରେ ୨୦ରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣ ହାର ଉପରକୁ ଉଠିଥିଲା । ତେବେ ମାସ ଶେଷ ଆଡକୁ ଏହା ୧୪ ପ୍ରତିଶତକୁ ଖସି ଆସିଥିଲା ।

ଜୁନ ୧ ତାରିଖରେ ସଂକ୍ରମଣ ହାର ୧୪.୦୨ ପ୍ରତିଶତ ହୋଇଥିବା ବେଳେ ଜୁନ ୨ ଓ ୩ ତାରିଖରେ ୧୨.୫୯ ପ୍ରତିଶତ ରହିଥିଲା ସଂକ୍ରମଣ ହାର । ୪ ତାରିଖ ଦିନ ସଂକ୍ରମଣ ହାର ୧୧.୨୬ ପ୍ରତିଶତକୁ ହ୍ରାସ ପାଇଥିଲା । ଗତ ୨୪ ଘଂଟାରେ ଏହା ଆହୁରି ତଳକୁ ଖସିଛି । ଏହି ସମୟ ମଧ୍ୟରେ ୭୦ ହଜାର ୩୧୩ କରୋନା ପରୀକ୍ଷା କରାଯାଇଥିବା ବେଳେ ୭୩୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଉ ସଂକ୍ରମଣ ହାର ୧୦.୫୧ ପ୍ରତିଶତକୁ ଖସି ଆସିଛି । ସଂକ୍ରମଣ ହାର କମାଇବା ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତାହା ଖୁବ ଶୀଘ୍ର ସମ୍ଭବ ହେବାକୁ ଯାଉଥିବା ଭଳି ଦେଖାଯାଉଛି ।

ଓଡ଼ିଶା କରୋନା ମିଟର 

ତାରିଖ           ଟେଷ୍ଟ        ଆକ୍ରାନ୍ତ    ସଂକ୍ରମଣ ହାର

ଜୁନ ୧          ୬୨,୨୯୩      ୮,୭୩୫    ୧୪.୦୨%

ଜୁନ ୨          ୬୬,୬୮୩    ୮,୩୯୯    ୧୨.୫୯%

ଜୁନ ୩        ୭୦,୧୭୮    ୮,୮୩୯     ୧୨.୫୯%

ଜୁନ ୪         ୬୮,୬୦୪    ୭,୭୨୯     ୧୧.୨୬%

ଜୁନ ୫        ୭୦,୩୧୩    ୭,୩୯୫    ୧୦.୫୧%

ସେପଟେ ଦେଶରେ ପ୍ରାୟ ୨ ମାସର ନିମ୍ନ ସ୍ତରରେ ପହଁଚିଛି କରୋନାର ଦୈନିକ ସଂକ୍ରମଣ । ୫୯ ଦିନ ପରେ ଦେଶରେ ୨୪ ଘଂଟା ଭିତରେ ୧,୨୦,୫୨୯ ନୂଆ ମାମଲା ଚିହ୍ନଟ ହୋଇଛି । ଆଶ୍ୱସ୍ତିର କଥା ହେଉଛି ଗୋଟିଏ ଦିନରେ ସକ୍ରିୟ ମାମଲାରେ ୮୦ ହଜାର ୭୪୫ ହ୍ରାସ ପାଇଛି । ସେହିପରି ଦିନକରେ ୩୩୮୦ ଜଣଙ୍କ ମୃତ୍ୟୁ ହୋଇଛି ।