ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।

336

କନକ ବ୍ୟୁରୋ : କରୋନାର ନୂଆ ରୂପକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭୁବନେଶ୍ୱରର ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଛନ୍ତି । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ପରିବାର ଲୋକଙ୍କ କୋଭିଡ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି ।

ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରିପାରିବ । ତେଣୁ ଏହି ଷ୍ଟ୍ରେନ ପ୍ରବେଶ କଲେ ଏହା ଅଧିକ ଚିନ୍ତାର କାରଣ ବନିଯିବ ।  ଏପଟେ କରୋନା ନୂଆ ଷ୍ଟ୍ରେନକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଏସଓପି ଜାରି କରାଯାଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

– ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ
– ବିମାନ ବନ୍ଦରରେ ରାପିଡ ଆଂଟିଜେନ ଟେଷ୍ଟ ସୁବିଧା ଓ ହେଲ୍ପ ଡେସ୍କ ରହିଛି
– ଡିସେମ୍ବର ୨୪ରୁ ବିମାନବନ୍ଦର ପରିସରରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ଉପଲବ୍ଧ ହେବ
– ଗତ ୧୪ ଦିନ ଭିତରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ନଥିଲେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ
-ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ନିର୍ଦ୍ଦେଶ
-ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି

ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ତେବେ ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ବ୍ରିଟେନରେ ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହି ସତର୍କତା ଅବଲମ୍ବନ କରାଯାଉଛି ।