ଖସୁଛି କରୋନା ମିଟର । ରାଜ୍ୟରେ ୧୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଜି ୧୪ ଶହ ୮୦ ଆକ୍ରାନ୍ତ ଚିହ୍ନଟ । ଦେଶରେ ସପ୍ତାହେ ଭିତରେ ୧୬ ପ୍ରତିଶତ କମିଛି ନୂଆ ମାମଲା । ମୃତ୍ୟୁ ସଂଖ୍ୟାରେ ୧୯ ପ୍ରତିଶତ ହ୍ରାସ

190

କନକ ବ୍ୟୁରୋ : ତଳ ମୁହାଁ ହୋଇଛି ରାଜ୍ୟର କରୋନା ମିଟର । ଅଗଷ୍ଟ ୧୧ ତାରିଖ ପରେ ପ୍ରଥମ ଥର ପାଇଁ ୧୫ଶହ ତଳକୁ ଖସିଛି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଶହ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୫୮ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୬୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣ ତାଲିକାରେ ଆଜି ଖୋର୍ଦ୍ଧା, କଟକ ଜିଲ୍ଲାକୁ ପଛରେ ପକାଇ ଅନୁଗୁଳ, ମୟୂରଭଂଜରୁୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪୧ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଂଜରୁ ୧୧୩, ଖୋର୍ଦ୍ଧାରୁ ୧୧୦ଜଣ, କଟକରୁ ୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ରେ ପହଂଚିଛି ।

ସୁସ୍ଥ ହୋଇଛନ୍ତି ୨ଲକ୍ଷ ୬୪ ହଜାର ୧୦୨ଜଣ । ଏବେ ସକ୍ରିୟ ଅଛନ୍ତି ୧୭ ହଜାର ୨୮୧ଜଣ । ସେପଟେ ୨୪ ଘଂଟାରେ ୧୪ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧୨୫୯ରେ ପହଁଚିଛି । ସେପଟେ ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ୫ ଶହ ତଳକୁ ଖସିଛି । ଯାହା ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ । ୨୪ ଘଂଟା ଭିତରେ ଦେଶରେ ୪ ଶହ ୮୦ ଜଣଙ୍କର ମୃତ୍ୟୁ ହୋଇଛି ।