କମୁଛି କି କରୋନା । ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଟେଷ୍ଟ ପଜିଟିଭ୍ ହାର ମଧ୍ୟ କମିବାରେ ଲାଗିଛି । ବିଶେଷଜ୍ଞ କହିଲେ ସତର୍କ ରହି କୋଭିଡ୍ ନିୟମ ପାଳନ କଲେ ଆହୁରି ହ୍ରାସ ପାଇପାରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ।

259

କନକ ବ୍ୟୁରୋ : କିଛି ଦିନ ହେଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଓଡ଼ିଶାର ୫ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି । ଭୁବନେଶ୍ୱରରେ ୨ ଦିନ ଧରି ୩୦୦ ତଳକୁ ଖସିଛି ନୂଆ ପଜିଟିଭଙ୍କ ସଂଖ୍ୟା ।

ସେପ୍ଟେମ୍ବରରେ ସଂକ୍ରମଣ ଯେପରି ଭାବେ ବ୍ୟାପୁଥିଲା, ଅକ୍ଟୋବରରେ ଏହି ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । କିଛି ଦିନ ହେଲା ରାଜ୍ୟରେ ୩ ହଜାର ତଳକୁ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ଦୈନିକ ସଂକ୍ରମଣରେ ପ୍ରାୟ ୨୦ ହଜାର ହ୍ରାସ ପାଇଛି ।

ଟେଷ୍ଟ ପଜିଟିଭ ରେଟ୍ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବରିଷ୍ଠ ଭେଷଜ ବିଶେଷଜ୍ଞ କହିଛନ୍ତି, କୋଭିଡ୍ କଟକଣା କଡ଼ାକଡ଼ି ପାଳନ କଲେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ପାଇବା ସମ୍ଭାବନା ରହିଛି । ତେବେ ଏହି ସତର୍କତା ଆମକୁ ଆଗକୁ ମଧ୍ୟ ଜାରି ରଖିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।