କରୋନାକୁ ନେଇ ଆସିଲା ଭଲ ଖବର । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି କହିଲା, କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରିଛି ଭାରତ, ୨୦୨୧ ଫେବୃୟାରୀ ସୁଦ୍ଧା ସର୍ବନିମ୍ନସ୍ତରକୁ ଆସିଯିବ ସଂକ୍ରମଣ ।

814

କନକ ବ୍ୟୁରୋ : କରୋନାକୁ ନେଇ ଖୁବ୍ ଭଲ ଖବର ଦେଇଛି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି । ଏହି କମିଟି କହିଛି, ଭାରତରେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରି ଯାଇଛି । ଗତ ସେପ୍ଟେମ୍ବର ମାସରେ ସବୁଠାରୁ ଅଧିକ ସଂଖ୍ୟାରେ ସଂକ୍ରମଣ ହୋଇଥିଲା, ଏବଂ ଏବେ ସଂକ୍ରମଣ କମିବ । ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ସୁଦ୍ଧା ସଂକ୍ରମଣ ଖୁବ୍ ତଳକୁ ଚାଲିଯିବ ବୋଲି କୁହାଯାଇଛି । ଏହି କମିଟିରେ ଅଛନ୍ତି ଆଇସିଏମଆର ଓ ଆଇଆଇଟିର ବୈଜ୍ଞାନିକ ।

ଗତ ଦୁଇ ତିନି ସପ୍ତାହ ହେଲା କରୋନା ରୋଗୀଙ୍କ ସଂଖ୍ୟା କମି ଯାଇଛି । ହେଲେ ଏବେ ବି ଆମକୁ ସତର୍କରହିବାକୁ ପଡିବ ବୋଲି କହିଛନ୍ତି ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ରୋଗୀ ସଂଖ୍ୟା କମିଲେ ମଧ୍ୟ ଆମକୁ ଏବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ସୁଶାନ୍ତ ସେଠୀ ।

ଗତ କିଛିଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ମିଟରରେ ସଂକ୍ରମଣ ତଳମୁହାଁ ହେବାର ନଜର ଆସିଛି ।