କନକ ବ୍ୟୁରୋ: କମ ହେବାରେ ଲାଗିଛି କରୋନା ସଂକ୍ରମଣ । ଆଉ ଦେଶରେ କୋହଳ ହେବାରେ ଲାଗିଛି କଟକଣା । ଲଗାତାର ଭାବେ ୯ ଦିନ ଧରି କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ଗତ ୨୪ ଘଂଟାରେ ଦେଶରେ ୬୨ହଜାର ୨୨୪ ନୂଆ ମାମଲା ରେକର୍ଡ ହୋଇଛି । ହେଲେ ସେପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ବି ୨ହଜାର ଉପରେ ରହିଛି ।

Advertisment

କରୋନା ମହାମାରୀର ଦ୍ୱିତୀୟ ଲହର ଧୀରେ ଧିରେ ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ଦେଶରେ ୬୦ ହଜାର ୪୭୧ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ବୁଧବାର ଦୈନିକ ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ବଢିଛି । ବୁଧବାର ଦେଶରେ ୬୨ ହଜାର ୨୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତାର ୯ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ କମ୍ ରହିଛି । ଦେଶରେ ଏବେ ଦୈନିକ ସଂକ୍ରମଣ ହାର ରହିଛି ୩.୨୨ ପ୍ରତିଶତ । ନଜର ପକାନ୍ତୁ

୨୪ ଘଂଟାର କରୋନା ମିଟର
- ୬୨, ୨୨୪ ଜଣ ନୂଆ ସଂକ୍ରମିତ
- ୨, ୫୪୨ଜଣଙ୍କ ମୃତ୍ୟୁ
- ୧, ୦୭, ୬୨୮ଜଣ ସୁସ୍ଥ
- ମୋଟ ସକ୍ରିୟ ସଂକ୍ରମିତ- ୮, ୬୫, ୪୩୨
- ଦେଶରେ ସଂକ୍ରମଣ ହାର ୩.୨୨%କୁ ହ୍ରାସ
- ସୁସ୍ଥ ହାର ୯୫.୮୦%କୁ ବୃଦ୍ଧି
- ମୋଟ କରୋନା ସଂକ୍ରମିତ – ୨,୯୬,୩୩,୧୦୫
- କରୋନା ଜନିତ ମୋଟ ମୃତ୍ୟୁ- ୩, ୭୯, ୫୭୩

ଦେଶରେ ସଂକ୍ରମଣ କମୁଥିବା ବେଳେ ୧୬ ଦିନରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ ହ୍ରାସ ପାଇଛି । ଜୁନ ୧ ତାରିଖରେ ଦେଶରେ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ ମାମଲା ଥିବା ବେଳେ ଜୁନ ୧୬ରେ ଏହି ସଂଖ୍ୟା ୮ଲକ୍ଷ ୬୫ ହଜାରକୁ ଖସି ଆସିଛି ।

କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୭,୬୫୨ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଛଡା କର୍ଣ୍ଣାଟକ, କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ କରୋନା ସଂକ୍ରମଣ ଉଦବେଗଜନକ ରହିଛି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଅଧିକ ରହିଛି ।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୧୨ ରାଜ୍ୟରେ ଲକଡାଉନ ଭଳି କଡା କଟକଣା ରହିଥିବା ବେଳେ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଆଂଶିକ କଟକଣା ବଳବତର ରହିଛି ।

ସେପଟେ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟେଷ୍ଟିଂ ଓ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତମାନ ସୁଦ୍ଧା ୩୮.୩୩ କୋଟି ଲୋକ କରୋନା ଟେଷ୍ଟିଂ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରେ ୨୬ କୋଟି ୧୯ଲକ୍ଷ ଲୋକ କରୋନା ଟିକା ନେଇ ସାରିଛନ୍ତି ।