ମାର୍ଚ୍ଚ ଆସୁଛି, ଭୟ ଘାରୁଛି… ସତର୍କ ନହେଲେ ସାଙ୍ଘାତିକ ହେବ ସ୍ଥିତି ? ବର୍ଷେ ତଳେ ମାର୍ଚ୍ଚରେ ଓଡିଶାକୁ ମାଡି ଆସିଥିଲା କରୋନା ।

467

କନକ ବ୍ୟୁରୋ: ଫେରିଲା ମାସ୍କ, ସାନିଟାଇଜ ଯୁଗ । ପିନ୍ଧିବା ମାସ୍କ, ଧୋଇବା ହାତ । ବେଳହୁଁ ସତର୍କ ନହେଲେ ଭୋଗିବାକୁ ପଡିବ ପରିଣାମ । ସାବଧାନ ! ମାର୍ଚ୍ଚ ଆସୁଛି, ଭୟ ଘାରୁଛି, ନୂଆ ଷ୍ଟ୍ରେନ ବି ମାଡି ମାଡି ଚାଲିଛି । କରୋନା କଡ ଲେଉଟାଇବା ପରେ ବିଦେଶରେ ବେହାଲ ହେଲାଣି ସ୍ଥିତି । ଆଉ ଭାରତରେ ବି ଭୂତାଣୁ ଭୟଙ୍କର ହେଲାଣି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂ ତାମିଲନାଡୁ ଏହି ୭ ରାଜ୍ୟ ଦେଶର ଚିନ୍ତା ବଢାଇ ଦେଇଛି । ଗୋଟିଏ ଦିନରେ ପଜିଟିଭ ହଜାର ପାର କରୁଥିବା ବେଳେ ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୮ ହଜାର ପାର୍ ଏବଂ କେରଳରେ ୪ ହଜାର ପାର ପରେ ପଡୋଶୀ ରାଜ୍ୟର ପରିସ୍ଥିତି ଏବେ ଓଡିଶା ଆଖିରୁ ନିଦ ହଜାଇ ଦେଇଛି । ସମସ୍ତଙ୍କୁ ଘାରିଛି ସଂକ୍ରମଣର ଭୟ । ମାର୍ଚ୍ଚ ଯେତେଯେତେ ପାଖଉଛି ପୁନଶ୍ଚ ଲକଡାଉନ, ସଟଡାଉନର ଭୟ ବି ବ୍ୟତିବ୍ୟସ୍ତ କରୁଛି ।

ଆଉ ୟାରି ଭିତରେ ପୁଣି ଆରମ୍ଭ ହୋଇଛି ମାସ୍କ ଚେକିଂ । ଲୋକଙ୍କ ମୁହଁରେ ମାସ୍କ ରହୁଛି କି ନାହିଁ କଡାକଡି ଭାବେ ଚେକିଂ କରୁଛି ପୋଲିସ । କଟକ, ଭୁବନେଶ୍ୱର ଭଳି ଅନେକ ସହରରେ ଏବେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି ।

ସେପଟେ କରୋନାର ୨ୟ ଲହର ଆଶଙ୍କାରେ ଏବେ ଜୋରସୋରରେ ବିକ୍ରି ହେଉଛି ମାସ୍କ, ସାନିଟାଇଜର । ସମସ୍ତେ ଏବେ ମାସ୍କ ଖୋଜୁଛନ୍ତି, ସାନିଟାଇଜର ଧରି ବୁଲିବା ଆରମ୍ଭ କରିଛନ୍ତି । ମାତ୍ର ଠିକ୍ ୨, ୩ ମାସ ତଳର କଥା ମନେପକାନ୍ତୁ । ଯେତେବେଳେ କରୋନା କମିକମି ଆସୁଥିଲା ସେତେବେଳେ ମୁହଁରୁ ମାସ୍କ ଖୋଲି ଫିଙ୍ଗି ଦେଇଥିଲେ ଲୋକେ । ନାକ ଉପରକୁ ରହୁଥିବା ମାସ୍କ ତଳକୁ ଖସି ଖସି ଶେଷରେ ବେକରେ ପହଞ୍ଚିଥିଲା । ଆଉ ସାନିଟାଇଜର କଥା ତ ଲୋକେ ଭୁଲି ହିଁ ଯାଇଥିଲେ । ଏମିତିକି ଔଷଧ ଦୋକାନରେ ମହାମାରୀ ମୁକାବିଲାର ଏ ସବୁ ଅସ୍ତ୍ରର ୭୦ ପ୍ରତିଶତ ବିକ୍ରି କମିଯାଇଥିବା କହିଥିଲେ ବ୍ୟବସାୟୀ ।

ତେବେ ସମୟ ଆସିଛି ସତର୍କ ହେବାର । ବେଳ ଥାଉ ଥାଉ ସଚେତନ ହେବାର । ଆସନ୍ତୁ ପୁଣି ଥରେ କରୋନାର ମୁକାବିଲା କରିବା । ଓଡିଶାରେ ପୁଣି ଥରେ ସଂକ୍ରମଣ ବଢିବା ପୂର୍ବରୁ ଭୂତାଣୁର ଭୟଙ୍କର ଚେନକୁ ଭାଙ୍ଗିବା । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ସହ କୋଭିଡ ନିୟମ ମାନି ମହାମାରୀ ଉପରେ ପୁଣି ବିଜୟ ଲାଭ କରିବା । ବର୍ଷେ ତଳେ ଯେଉଁ ନିୟମ ସବୁକୁ ଆମ ଜୀବନଶୈଳୀ ସହ ଯୋଡି ଦେଇଥିଲୁ ଚାଲନ୍ତୁ ପୁଣି ଥରେ ତାକୁ ଜାଗ୍ରତ କରିବା । ଏବେଠୁ ସତର୍କ ନହେଲେ ନେଡି ଗୁଡ କହୁଣୀକୁ ବହିଯିବ ।