ନିୟମଗିରି ଓ ବଣ୍ଡାଘାଟିରେ ପଶିଲା କରୋନା । ୧୨ ବଣ୍ଡା ଜନଜାତି ଓ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ପରେ ବଢିଲା ଚିନ୍ତା

154

କନକ ବ୍ୟୁରୋ: ଆଦିମ ଜନଜାତିଙ୍କ ବଣ୍ଡାଘାଟିକୁ ଛୁଇଁଲା କରୋନା । ଆଦିମ ବଣ୍ଡା ଜନଜାତିର ପ୍ରାୟ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରିର ମୁଦୁଲିପଡା ଏବଂ ଅଣ୍ଡ୍ରାହଲର କିଛି ଲୋକେ ଅନକାଡେଲି ସାପ୍ତାହିକ ହାଟକୁ ଯାଇଥିବା ବେଳେ ଆନ୍ଧ୍ରର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସନ୍ଦେହ କରୁଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର ଲାଗି ବଣ୍ଡାଘାଟିରେ ଏକାଥରକେ ୧୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ବଣ୍ଡାଘାଟିର ବଡବେଲ ଗାଁକୁ ସଂର୍ମ୍ପୂଣ୍ଣ କଂଟେନମେଂଟ ଜୋନ ଘୋଷଣା କରିବା ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ପରୀକ୍ଷା କରାଉଛି ମେଡିକାଲ ଟିମ୍ । ଏପଟେ ଅନକାଡେଲିରୁ ବଣ୍ଡାଘାଟିକୁ ପ୍ରବେଶ ପଥରେ ପ୍ରଶାସନ ରୋକ ଲଗାଇଥିବା ସୂଚନା ମିଳିଛି ।

ସେପଟେ ନିୟମଗିରି ଡଙ୍ଗରିଆଙ୍କୁ କରୋନା । ସପ୍ତାହକ ମଧ୍ୟରେ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ସାରାବିଶ୍ୱରରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବାବେଳେ ବର୍ତମାନ ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କୁ ଆକ୍ରାନ୍ତ କରିଛି ଏହି ଭୂତାଣୁ ।

ଗୋଟିଏ ସପ୍ତାହରେ ୬ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦୁଇ ଜଣ ପୁରୁଷଙ୍କ ସହ ଚାରି ଜଣ ଡଙ୍ଗରିଆ ମହିଳା କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ସଂଗରୋଧରେ ଅଛନ୍ତି । ତେବେ ଏମାନଙ୍କର ଚଳିବା ପାଇଁ ଘରେ ସେଭଳି ସୁବିଧା ନଥିବାରୁ ଗୋଟିଏ ବଖରାରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଚଳୁଥିବା ଜଣାପଡିଛି । ଡଙ୍ଗରିଆମାନେ ମୁଖ୍ୟତଃ ଚେରମୂଳି ଉପରେ ବିଶ୍ୱାସ କରି ଜୀବନ ଅତିବାହିତ କରୁଥିବାରୁ ଏମାନଙ୍କ ମଧ୍ୟରେ କରୋନା ବ୍ୟାପିଲେ ରୋକିବା କଷ୍ଟକର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।