ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା । ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟରେ ୨୧ ପଜିଟିଭ୍ ଚିହ୍ନଟ ।

123

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରର ଭୟ ଭିତରେ ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା ଭୁତାଣୁ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟର ୧୩ ଶିକ୍ଷକ, ୮ ଛାତ୍ରଛାତ୍ରୀ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଝାରସୁଗୁଡା ପୈାରପରିଷଦ ପକ୍ଷରୁ ଇଞ୍ଜିନିୟରିଂ ସ୍କୁଲକୁ ସାନିଟାଇଜ କରାଯାଇଛି । ଇଞ୍ଜିନିୟରିଂ ସ୍କୁଲରେ ଜଣେ କର୍ମଚାରୀ କୁଚିଣ୍ଡାରୁ ଫେରିବା ପରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୧୦୦ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନମୂନା ପରୀକ୍ଷା ପରେ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଉରକେଲା ନିଟ କଲେଜରେ ୪ ଆକ୍ରାନ୍ତ ଚିହ୍ନଟ ପରେ କଂଟାକ୍ଟ ଟ୍ରେସିଂ କରାଯାଇ ଛାତ୍ରଛାତ୍ରୀଙ୍କ ନମୂନା ପରୀକ୍ଷା କରାଯାଉଛି । ଏହାଛଡା ଶୁକ୍ରବାର ଏନଆଇଟି ପକ୍ଷରୁ ଅଫ ଲାଇନ ପରୀକ୍ଷା ଓ ହଷ୍ଟେଲ ଛାଡି ଘରକୁ ଯିବା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରିଦିଆଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାଜ୍ୟରେ ଦୁଇ ଦିନ ଧରି ୨ଶହ ଆକ୍ରାନ୍ତ ଚିହ୍ନଟ ପରେ ତଳମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଂଟାରେ ୨୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ନୂଆ ମାମଲା ବଢିବାରେ ଲାଗିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ, ନୂଆପଡ଼ାରୁ ୨୩, କଟକରୁ ୧୯ଜଣ, କଳାହାଣ୍ଡି, ସୁନ୍ଦରଗଡ଼ରୁ ୧୨ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ରାଜ୍ୟରେ କରୋନା ଟିକାକରଣର ପରିସରକୁ ବଢାଯାଇଛି ରାଜ୍ୟ ସରକାର । ବିଦ୍ୟୁତ ବିଭାଗ, ପାନୀୟ ଜଳ ଯୋଗାଣ, ସଡକ ପରିବହନ କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।