କରୋନା ପଜିିଟିଭ୍ ଆସିବା ପରେ ଅପରେସନ୍ ପାଇଁ ୧୨ ଦିନରେ ୧୦ଟି ହସ୍ପିଟାଲ ବୁଲିଲେ ଗୁରୁତର ଆହତ । ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ପରିବାର ।

881

କନକ ବ୍ୟୁରୋ : ଭୁବନେଶ୍ୱରରେ ମୋବାଇଲ ଚୋରି ଅଭିଯୋଗରେ ଆକ୍ରମଣର ଶିକାର ହୋଇଥିବା ଯୁବକ କରୋନା ପଜିଟିଭ ଜଣାପଡିବା ପରେ ରାଜଧାନୀର କୌଣସି ହସ୍ପିଟାଲ ତାଙ୍କର ଅସ୍ତ୍ରୋପଚାର କରୁନଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଯୁବକଙ୍କ ଭାଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ତାଙ୍କ ମାଆ, ବିଏମସି କମିଶନରଙ୍କୁ ଭେଟି ଘଟଣା ସମ୍ପର୍କରେ କହିଛନ୍ତି । ବିଏମସି କମିଶନର କହିଛନ୍ତି, କାହିଁକି ଅସ୍ତ୍ରୋପଚାର କରାଯାଉନି ସେନେଇ ଅନୁଧ୍ୟାନ କରାଯିବ ।

ଜୀବନ-ମୃତ୍ୟୁର ଦୋଛକିରେ ସଂଘର୍ଷ କରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ରଂଜିତ ନାୟକ । ରଂଜିତଙ୍କୁ ମୋବାଇଲ ଚୋରି କରିଥିବା ଅଭିଯୋଗରେ ହୋଇଥିଲା ଭୁଜାଲି ମାଡ । ଅତି ଗୁରୁତର ଅବସ୍ଥାରେ ପ୍ରଥମେ କିମସ ଏବଂ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରଂଜିତଙ୍କ ଅପରେସନ ଜରୁରୀ ହୋଇପଡିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ସେ କରୋନା ପଜିଟିଭ ଜଣାପଡିବା ପରେ ଅପରେସନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନାକରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଖାଲି କ୍ୟାପିଟାଲ ହସ୍ପିଟାଲ କାହିଁକି, ୧୨ଦିନ ଧରି ୧୦ଟି ହସ୍ପିଟାଲ ବୁଲିଥିଲେ ମଧ୍ୟ କେହି ଅପରେସନ୍ କରିବାକୁ ରାଜି ହେଉନାହାନ୍ତି । ବାଧ୍ୟହୋଇ ରଂଜିତଙ୍କ ଭାଇ ଆଜି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ରଂଜିତ ବଂଚିବାକୁ ଲଢେଇ କରୁଥିବା ବେଳେ ଅପରେସନ କରିବା ଏବେ ଜରୁରୀ ହୋଇପଡିଛି । ଏପରି ସ୍ଥି୍ତିରେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆଜି ରଂଜିତଙ୍କ ମାଆ ବିଏମସି କମିଶନରଙ୍କୁ ଦେଖା କରି କ’ଣ କ’ଣ ଅସୁବିଧା ହେଉଛି ସେ ସମ୍ପର୍କରେ ଅବଗତ କରାଇଛନ୍ତି ।

ଚନ୍ଦ୍ରଶେଖରପୁର ଅରବିନ୍ଦ ବସ୍ତି ଅଂଚଳର ତାପସ କୁମାର ସାହୁଙ୍କ ମୋବାଇଲ ହଜିବା ପରେ ଗୁଣିଆ କଥାରେ ପଡି ତାପସ, ରଞ୍ଜିତ ନାୟକଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଗତ ୧୨ଦିନ ଧରି ଅସୁସ୍ଥ ରହିଥିବା ରଂଜିତ, ଜୀବନ ବଂଚାଇବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଦୌଡୁଛନ୍ତି ।