କରୋନା କରୁଛି କଲବଲ : ସଙ୍ଗରୋଧ ପାଇଁ ଘରେ ସୁବିଧା ନଥିବାରୁ ଗଛ ମୂଳେ ଆଶ୍ରୟ ନେଇଥିଲେ ଯୁବକ 

 ଖବର ପାଇ କୋଭିଡ ଆକ୍ରାନ୍ତଙ୍କ ପାଖରେ ପହଂଚିଲା ପ୍ରଶାସନ; ପର୍ଲା କୋଭିଡ ହସ୍ପିଟାଲକୁ କରାଯାଇଛି ସ୍ଥାନାନ୍ତର

336

କନକ ବ୍ୟୁରୋ : କରୋନା ମହାମାରୀ କିଭଳି କଲବଲ କରୁଛି ତାର ବିକଳ ଚିତ୍ର ସବୁ ଆସିବାରେ ଲାଗିଛି । ଗଛମୂଳେ ଆଶ୍ରୟ ନେଲେ କରୋନା ଆକ୍ରାନ୍ତ । କଳାହାଣ୍ଡି କୋକସରା ବ୍ଲକ ଲିପାମାଲ ଗାଁରୁ ଆସିଛି ଏହିଭଳି ଚିନ୍ତାଜନକ ଦୃଶ୍ୟ । ମାଆଙ୍କୁ ଚିକିତ୍ସା କରାଇବା ପାଇଁ  କ୍ଷୀରୋଦ ନାୟକ ଭବାନୀପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ନିଜର କୋଭିଡ ପରୀକ୍ଷା କରାଇବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।

ହେଲେ ଘରେ ସଂଗରୋଧରେ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ, ପରିବାରର ଅନ୍ୟମାନଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବାପାଇଁ ସେ ଗାଁ ମୁଣ୍ଡରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ପ୍ରାୟ ୩ଦିନ ଧରି ଗଛମୂଳେ ରହିବା ପରେ ଏହି ଖବର ଲୋକଲୋକଚନକୁ ଆସିଥିଲା । ଖବର ବ୍ୟାପିବା ପରେ ତତ୍ପରତା ପ୍ରକାଶ କଲା ସ୍ୱାସ୍ଥ୍ୟ ବିଭାଗ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ତାଙ୍କୁ ସେଠାରୁ ଉଦ୍ଧାର କରି ପର୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପଜିଟିଭ ଚିହ୍ନଟ ହେବାର ୩ଦିନ ଯାଏଁ ତାଙ୍କୁ ପରେ ମଧ୍ୟ ଆଶାକର୍ମୀ କିମ୍ବା ଆଙ୍ଗନବାଡି କର୍ମାଙ୍କ ନଜରକୁ ଏହି ଘଟଣା ଆସିନଥିଲା । ଏପରିକି ସ୍ଥାନୀୟ ସରପଂଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦ କ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।