ସଚେତନ କରିବେ ସୁବ୍ରତ ବାଗଚୀ । କରୋନା ମୁକାବିଲା ପାଇଁ ଗଠନ ହେବାକୁ ଥିବା କମିଟିର ନେତୃତ୍ୱ ନେବେ, ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ସତର୍କ କରାଇବେ ।

263

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ କମର କଷିଛି ଓଡିଶା । ବିଶ୍ୱ ମହାମାରୀରୁ କେମିତି ମୁକୁଳି ହେବ ଆଉ ତାହାର କେମିତି ମୁକାବିଲା କରିହେବ ସେନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସଚେତନତା ସୃଷ୍ଟି ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ଆଉ ଏତିକି ବେଳେ ସଚେତନତାର ସବୁ ଦାୟିତ୍ୱ ରାଜ୍ୟ ସରକାର ସୁବ୍ରତ ବାଗଚୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

ତେବେ ଗତକାଲି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଆଜି ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଇଁ ଏକ ଟିମ୍ ଗଠନ ହୋଇଛି । ଏହି ଆଇଇସି ଟିମର ନେତୃତ୍ୱ ନେବେ ଓଡ଼ିଶା ସ୍କିଲ୍ ଡେଭେଲୋପମେଂଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ । କୋଭିଡ-୧୯ ନେଇ ସଚେତନତା ବୃଦ୍ଧି ସହ ଅନ୍ୟ କାର୍ଯ୍ୟକ୍ରମ ହାତକୁ ନେବ ଏହି ଟିମ୍ । ଏହା ସହ କରୋନା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁ୍ଖପାତ୍ର ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦିଆଯାଇଛି ।

କରୋନା ସଂପର୍କୀତ ପ୍ରେସମିଟ୍ ତାଙ୍କ ତତ୍ୱାବଧାନରେ କରାଯିବ । ସେପଟେ ସପିଂ ମଲକୁ ବନ୍ଦ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ସେହିପରି ବିଏମସି କମିସନର କହିଛନ୍ତି, ବିବାହ ଓ ବ୍ରତଘର ଆଦି କାର୍ଯ୍ୟକ୍ରମ ପାଇଁ ମଧ୍ୟ କଟକଣା ନାହିଁ । ହେଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।