କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ଯେବେଠାରୁ ଚୀନରୁ ବାହାରି ଅନ୍ୟ ଦେଶ ଗୁଡିକୁ ବ୍ୟାପିବା ଆରମ୍ଭ କରିଛି, ସେବେଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଆସୁଛି ଫେସ୍ ମାସ୍କ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ । କେବଳ କରୋନା ଭୂତାଣୁରେ ଆକ୍ରାନ୍ତ ରୋଗୀ ଏବଂ ଥଣ୍ଡା, କାଶ ଭଳି ସମସ୍ୟା ଭୋଗୁଥିବା ରୋଗୀ ହିଁ ମାସ୍କ ବ୍ୟବହାର କରନ୍ତୁ । ହେଲେ ଏବେ ବଦଳିଯାଇଛି ସ୍ଥିତି । ଏବେ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି । ତେବେ ଏହି ଫେସ୍ ମାସ୍କ କିପରି କରୋନା ଲଢେଇରେ ଆପଣଙ୍କୁ ସାହାଯ୍ୟ କରିବ, ଏହି ରିପୋର୍ଟକୁ ପଢ଼ନ୍ତୁ ଏବଂ ବୁଝନ୍ତୁ ।
ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦେଖି ଏବେ ସ୍ୱାସ୍ଥ୍ୟ ସଂସ୍ଥା ଗୁଡିକ ପ୍ରତ୍ୟେକ ଲୋକଙ୍କୁ ଫେସ୍ ମାସ୍କ ବ୍ୟବାହର କରିବାକୁ ପରାମର୍ଶ ଦେଉଛନ୍ତି । ବଜାରରେ ମିଳୁଥିବା ଏନ୍-୯୫ ମାସ୍କ ହେଉ ଅବା ସର୍ଜିକାଲ ମାସ୍କ କି ଘରେ ପ୍ରସ୍ତୁତ ହୋଇଥିବା ସାଧାରଣ ମାସ୍କ ଯାହା ଆପଣଙ୍କୁ ସଂକ୍ରମଣ ହେବାରୁ ରୋକି ପାରିବ । ତେବେ କିପରି ଏହି ସାଧାରଣ ମାସ୍କ ଏତେ ବଡ ମାରାତ୍ମକ ଭୂତାଣୁ ଠାରୁ ଆମକୁ ବଂଚାଇବା । ଏହା ଜାଣିବା ପାଇଁ ପ୍ରଥମେ ଆମକୁ ବୁଝିବାକୁ ପଡିବ ଯେ, କିପରି ଏହି ମାରାତ୍ମକ କରୋନା ଭୂତାଣୁ ବ୍ୟାପିଥାଏ?
- ଭୂତାଣୁ ବ୍ୟାପିବାର ପ୍ରାରମ୍ଭିକ ମାଧ୍ୟମ ହେଉଛି ଶ୍ୱାସକ୍ରିୟା ବୁନ୍ଦା
- କାଶ, ଛିଙ୍କ ଦ୍ୱାରା ଶ୍ୱାସକ୍ରିୟାର ବୁନ୍ଦା ୬ ଫୁଟ୍ ଦୁରକୁ ବାୟୁରେ ଯାଇ ତଳେ ପଡେ
- ଶ୍ୱାସକ୍ରିୟାର ବୁନ୍ଦା ଛୋଟ ଛୋଟ କଣିକା ଭାବେ ୫ ମିଟର ଭିତରେ ଥିବା ବାୟୁରେ ଘୁରି ବୁଲେ
- ଏହି କଣିକାକୁ ପାଖରେ ଥିବା ଅନ୍ୟ ବ୍ୟକ୍ତି ଅଜାଣତରେ ନିଶ୍ୱାସ-ପ୍ରଶ୍ୱାସ ଜରିଆରେ ନିଜ ଦେହକୁ ନେଇଯାଏ
- ଆଖିକୁ ଦେଖାଯାଉ ନଥିବା ଏହି କଣିକା ବାୟୁରେ ଦୀର୍ଘ ସମୟ ଧରି ଜୀବିତ ରହେ
- ଫଳରେ ଭୂତାଣୁ ଜଣଙ୍କ ଠାରୁ ପାଖରେ ଥିବା ଅନ୍ୟ ଲୋକଙ୍କ ପାଖକୁ ବ୍ୟାପିପାରେ
- ହେଲେ ମାସ୍କ ବ୍ୟବହାର ଦ୍ୱାରା ଏହି ଭୂତାଣୁ ଆପଙ୍କ ଶରୀରରେ ପ୍ରବେଶ କରିବା ସମ୍ଭବ ହୋଇ ନଥାଏ
ଯଦି କେହି ସଂକ୍ରମିତ ବ୍ୟକ୍ତି ବିନା ମାସ୍କରେ ଥାଏ, ତାହାଲେ ତାର କାଶ କିମ୍ବା ଛିଙ୍କ ଦ୍ୱାରା ତାର ଚାରି ପାଖରେ ଥିବା ଲୋକମାନେ ବି ସଂକ୍ରମିତ ହେବାର ସମ୍ଭାବନା ରହିଛି । ଆଉ ବିନା ମାସ୍କରେ ରହୁଥିବା ବ୍ୟକ୍ତିଙ୍କ ଠାରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ । ଏକ ଅନୁଧ୍ୟାନରୁ ମଳିଥିବା ତଥ୍ୟ ଅନୁସାରେ-
- ଯେତିକି ଅଧିକା ଖୋଲାରେ ରହିବେ, ସଂକ୍ରମିତ ହେବାର ସମ୍ଭାବନା ସେତିକି ଅଧିକା
- ଉହାନ ଓ ଇଟାଲୀରେ ସର୍ବାଧିକ ସଂକ୍ରମିତ ହେବା ପଛରେ କାରଣ ଏହା ବୋଲି କୁହାଯାଉଛି
- ବିଶ୍ୱରେ ୬୦ % କୋଭିଡ୍-୧୯ ସଂକ୍ରମିତ ନାକ ସ୍ୱାବ୍ ସଂଚାରଣ ଫଳରେ ହୋଇଛି
ଏପରି ପରିସ୍ଥିତିରେ ପିପିଇ କିଟ୍ ବା ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଂଟ୍ ହିଁ କରୋନା ଭୂତାଣୁ ସଂକ୍ରମଣ ଠାରୁ ବଂଚାଇ ପାରିବ । ଆଉ ଏହି ପିପିଇ କିଟ୍ ମେଡିକାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନିହାତି ଜରୁରୀ । ଏହା ଛଡା ସଂକ୍ରମଣ ଠାରୁ ବର୍ତିବାକୁ ହେଲେ ମୁହଁରେ ଫେସ୍ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ । ଗୋଟିଏ ସାଧାରଣ ଫେସ୍ ମାସ୍କ କରୋନା ଭୂତାଣୁ ସଂକ୍ରମିତ ବୁନ୍ଦାକୁ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିବାକୁ ଦେବ ନାହିଁ ।