ଓଡ଼ିଶାରେ ଏଯାଏଁ ସେହି ୩ଜଣ ଅଛନ୍ତି କରୋନା ଆକ୍ରାନ୍ତ । ଆଜିସୁଦ୍ଧା ୪୭୩ ନମୁନାରୁ ଆସିଛି ୪୭୦ ନେଗେଟିଭ୍ । ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଫେରିଥିବା ୩ ଜଣଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

1,861

କନକ ବ୍ୟୁରୋ: ଓଡିଶାରେ ବର୍ତ୍ତମାନ ମଧ୍ୟ ସେହି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାବତ୍ ରାଜ୍ୟରେ ମୋଟ୍ ୪୭୩ ନମୁନାର ପରୀକ୍ଷା ହୋଇଥିବା ବେଳେ ୪୭୦ ନମୂନା ନେଗେଟିଭ୍ ଆସିଛି । ଅନଲାଇନ୍ ଓ ୧୦୪ରେ ମୋଟ୍ ୧୧ ହଜାର ୫୭୫ ଜଣ ପଞ୍ଜୀକରଣ କରିଛନ୍ତି । ଆଉ ଏଯାବତ୍ ୪ ହଜାର ୩୧୩ ଜଣ ବିଦେଶ ଫେରନ୍ତା ଅଛନ୍ତି । ତେବେ ସବୁଠାରୁ ଚର୍ଚାରେ ଥିବା ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୩ ଜଣ କ୍ୱାରେନଟାଇନ୍ରେ ଅଛନ୍ତି । ଏହା ସହ ଅନ୍ୟମାନଙ୍କୁ ଉପରେ ନଜର ରଖାଯାଇଥିବା କହିଛନ୍ତି ବାଗଚୀ ।

ସେହିପରି ଦିନ ୩ଟା ସୁଦ୍ଧା, ୨୦୦ଟି ଦେଶ କରୋନା ସଂକ୍ରମିତ ହୋଇଛି । ସେଥିମଧ୍ୟରେ ମୋଟ୍ ୭ଲକ୍ଷ ୯୯ହଜାର ୯୩୬ ଜଣ ସଂକ୍ରମିତ ହୋଇଥିବାବେଳେ ୩ଲକ୍ଷ ୮୧ ହଜାର ୩ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଲ ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନା ଦ୍ୱାରା ୪ ହଜାରରୁ ଅଧିକ ମୃତ ହୋଇଛନ୍ତି । ସେହିଭଳି ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୧ ଜଣ କରୋନା ପଜିଟିଭ୍ ଥିବାବେଳେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ ବଳରେ ଆକ୍ରାନ୍ତଙ୍କ ସଂଖ୍ୟା ସେହି ୩ରେ ରହିଛି । ଆଉ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ତାଲାବନ୍ଦକୁ ଏଭଳି ଶୃଙ୍ଖଳିତ ଭାବେ ପାଳନ କରିବାକୁ ସଂକଳ୍ପ ନେବା । ଯଦି ଏହା ମଝିରେ କୌଣସି ସମସ୍ୟା ଦେଖାଯାଏ ତେବେ ୧୦୪ ନମ୍ବରକୁ ତୁରନ୍ତ କଲ କରି ଜଣାଇବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।