କରୋନା ହାରିବ ମଣିଷ ଜିତିବ: ଭାରତରେ ତିଆରି ହେଲା କରୋନା ପରୀକ୍ଷା କିଟ୍ । ଭାଇରସ୍ ଉପରେ ଗବେଷଣା କରୁଥିବା ଭାଇରୋଲଜିଷ୍ଟ ମିନାଲ୍ ଭୋସଲେଙ୍କୁ ନେଇ ଚର୍ଚ୍ଚା

3,083

କନକ ବ୍ୟୁରୋ: ମିନାଲ ଭୋସଲ । ଭାଇରସ୍ ଉପରେ ଗବେଷଣା କରୁଥିବା ଏହି ମହିଳା ଏବେ ଚର୍ଚ୍ଚାରେ । କାରଣ ଦେଶର ପ୍ରଥମ କରୋନା ପରୀକ୍ଷା କିଟ୍ ତିଆରି କରିବା ପଛରେ ରହିଛି ମିନାଲଙ୍କ ପ୍ରମୁଖ ଭୂମିକା । ତାଙ୍କର ନିଷ୍ଠା ଓ ସେବା ମନୋଭାବକୁ ନେଇ ପ୍ରଶଂସା କରାଯାଉଛି । ଯେଉଁଦିନ ସେ କରୋନା ପରୀକ୍ଷା କିଟ୍ ପ୍ରୋଜେକ୍ଟ ଶେଷ କଲେ, ତାର ପରଦିନ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି ମିନାଲ ।

କୋଭିଡ୍-୧୯ ପରୀକ୍ଷା ପାଇଁ ପୁନେ ସ୍ଥିତ ମାଇଁ-ଲ୍ୟାବ ସଂସ୍ଥା ପ୍ରସ୍ତୁତ କରିଛି ଏହି କିଟ୍ । ନିଜ ଦେଶରେ କରୋନା ପରୀକ୍ଷା କିଟ୍ ତିଆରି ହେବା ପରେ ଏକ ବଡ଼ ସମସ୍ୟାର ସମାଧାନ କରିପାରିଛି ଭାରତ । ଭାରତରେ ନିର୍ମିତ ଏହି ପରୀକ୍ଷା କିଟ୍ର ବିଶେଷତ୍ୱ ହେଉଛି ମାତ୍ର ଅଢ଼େଇ ଘଂଟାରେ ଜଣାଇ ପାରିବ, ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ । ବାହାରୁ ଆସୁଥିବା କିଟ୍ ଏଥିପାଇଁ ୭ରୁ ୮ ଘଂଟା ସମୟ ନେଉଥିଲା । କରୋନା ପରୀକ୍ଷା ପାଇଁ ଭାରତରେ କିଟ୍ ନିର୍ମାଣ ହୋଇ ନଥିବାରୁ ନମୁନା ପରୀକ୍ଷାରେ ପଛରେ ପଡି ଯାଇଥିଲା ଭାରତ ।

ସେପଟେ ସାରାବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବାରୁ ବିଶ୍ୱବ୍ୟାପୀ ପରୀକ୍ଷା କିଟ୍ର ଅଭାବ ଦେଖା ଦେଇଥିଲା । ଏହା ଛଡ଼ା ବାହାରୁ ଆସୁଥିବା କିଟ୍ର ଦାମ ମଧ୍ୟ ଅଧିକ ଥିଲା । ତେବେ ଭାରତ ପ୍ରସ୍ତୁତ ଏହି ନୂଆ କିଟ୍ରେ ଜଣଙ୍କର ନମୁନା ପରୀକ୍ଷା ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ପରେ ଏହି କିଟ୍କୁ ପୁଣେ, ମୁମ୍ବାଇ, ଦିଲ୍ଲୀ, ଗୋଆ ଓ ବାଙ୍ଗାଳୁରୁକୁ ପଠାଇ ଦିଆଯାଇଛି । ସପ୍ତାହକ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଉତ୍ପାଦନ ହେବ ବୋଲି କୁହାଯାଇଛି । ୭ ଦିନରେ ୧ଲକ୍ଷ କିଟ ଯୋଗାଇ ପାରିବ ବୋଲି ମାଇଁ ଲ୍ୟାବ ପକ୍ଷରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଗୋଟିଏ ସପ୍ତାହରେ ୨ଲକ୍ଷ କିଟ ଉତ୍ପାଦନ ହୋଇପାରିବ ।

ଏହି କିଟ୍ ନିର୍ମାଣରେ ମାଇଁ ଲ୍ୟାବ ଟିମର ମୁଖ୍ୟ ଭାଇରୋଲଜିଷ୍ଟ ମିନାଲ ଭୋସଲେଙ୍କ ଭୂମିକାକୁ ନେଇ ସାରା ଦେଶରୁ ଛୁଟୁଛି ପ୍ରଶଂସାର ସୁଅ । କିଟ୍ ନିର୍ମାଣ ପାଇଁ ଫେବୃଆରୀ ମାସରୁ ଗବେଷଣା ଆରମ୍ଭ କରିଥିଲେ ମିନାଲ୍ ଭୋସଲେଙ୍କ ଟିମ୍ । ନିଜେ ଗର୍ଭବତୀ ଥିଲେ ବି ଗବେଷଣାରୁ ଓହରି ନଥିଲେ ଏବଂ ଭାରତର ପ୍ରଥମ କରୋନା ପରୀକ୍ଷା କିଟ୍ ନିର୍ମାଣ କରିବା ପାଇଁ ଦିନରାତି ଏକ କରି ଦେଇଥିଲେ ସେ । କଠୋର ପରିଶ୍ରମ ପରେ ସଫଳତାର ସହ ନିର୍ମାଣ କରିଥିଲେ କରୋନା ପରୀକ୍ଷା କିଟ୍ । ଗତ ସପ୍ତାହରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ମିନାଲ୍ ଭୋସଲେ ।