ମାଛ ବ୍ୟବସାୟ ଉପରେ କରୋନା ମାଡ଼ । କୋଭିଡ୍ କଟକଣା କଣ୍ଟା ପାଇଁ ଖାସି ମାଂସ ସହ ସମାନ ଏବେ ମାଛ ଦର ।

1,754

କନକ ବ୍ୟୁରୋ: ଓଡିଶାରେ କରୋନାର କୋଲକାତା ଲିଙ୍କ ଯୋଗୁଁ ବନ୍ଦ ରହିଛି ପାରାଦୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର ବାଲିପ୍ଲଟ । ମାଛ ଉତ୍ପାଦନରେ ନିୟୋଜିତ ଅଧିକାଂଶ ବ୍ୟକ୍ତି ଜଳପଥରେ କୋଲକାତାରୁ ପାରାଦୀପ ଯାତାୟତ କରିଥାନ୍ତି । ତେବେ ଭୂତାଣୁ ସଂକ୍ରମଣ ଭୟରେ ବାଲିପ୍ଲଟ ମାଛ ବିକ୍ରୟ କେନ୍ଦ୍ରକୁ ବନ୍ଦ କରି ଦେଇଛି କାର୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘ । ଫଳରେ ପ୍ରଭାବିତ ହେଉଛନ୍ତି ପାରାଦୀପ ନିକଟ ୪ଟି ଜିଲ୍ଲାର ଖାଉଟି । ଖାସି ମାଂସ ସହ ସମାନ ହୋଇଛି ମାଛ ଦର ।

ବନ୍ଦ ଅଛି ମାଛ ବିକ୍ରିୟ କେନ୍ଦ୍ର, ଘାଟରେ ଅଟକି ରହିଛି ମାଛଧରା ଡଙ୍ଗା । ଭୂତାଣୁ ଭୟରେ ବନ୍ଦ ରହିଛି ପାରାଦୀପର ସବୁଠାରୁ ବଡ ମାଛ ବ୍ୟବସାୟ କେନ୍ଦ୍ର ବାଲିପ୍ଲଟ । ଆଗରୁ ରାତି ୪ଟାରୁ ଯେଉଁଠି ମତ୍ସ୍ୟ ବ୍ୟବସାୟୀଙ୍କ ଗହଳି ଲାଗେ, ଏବେ ସେଠି ଅସମ୍ଭବ ନିରବତା । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ ଓ ଭୁବନେଶ୍ୱର ବ୍ୟବାସାୟୀମାନେ ବାଲିପ୍ଲଟରୁ ମାଛ କିଣି ହାଟ ବଜାରରେ ବିକ୍ରି କରିଥାନ୍ତି । କେବଳ ବ୍ୟବସାୟୀ ନୁହେଁ ଶହଶହ ଗ୍ରାହକ ମଧ୍ୟ ଖୁବ୍ କମ ଦରରେ ଏଠାରୁ ମାଛ ପାଇଥାନ୍ତି । ହେଲେ ବାଲିପ୍ଲଟ ମାଛ ବିକ୍ରିୟ କେନ୍ଦ୍ର ବନ୍ଦ ଥିବାରୁ ଏବେ ମାଛ ଦର ବଢି ଯାଇଛି ।

ପାରାଦୀପ ବାଲିପ୍ଲଟକୁ ପ୍ରତିଦିନ ୧୫ଶହରୁ ଅଧିକ ଡଙ୍ଗାରେ ମାଛ ଆସିଥାଏ । ଆଉ ଏହି ମାଛ ଧରା ଡଙ୍ଗାରେ ୩୦ ପ୍ରତିଶତ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ କାମ କରିଥାନ୍ତି । କୋଲକାତାରୁ ଜଳପଥ ଦେଇ ଆସିଥାନ୍ତି ମତ୍ସ୍ୟଜୀବୀ । ରାଜ୍ୟରେ କରୋନା ଆକ୍ରନ୍ତଙ୍କ କୋଲକାତା ଲିଙ୍କ ଆସିବା ପରେ ବାଲିପ୍ଲଟ ମାଛ ବିକ୍ରୟ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । କେବଳ ଏହି ଗୋଟିଏ କାରଣ ନୁହେଁ ବାଲିପ୍ଲଟରେ ଅତ୍ୟଧିକ ଲୋକ ଏକାଠି ହେବାରୁ ସାମାଜିକ ଦୂରତା ରହୁନାହିଁ । ତେଣୁ ବାଧ୍ୟ ହୋଇ ବନ୍ଦ କରାଯାଇଛି । ବନ୍ଦ ଯୋଗୁଁ ଆଗରୁ ଯେଉଁ ମାଛର ମୂଲ ୧୩୦ରୁ ୧୬୦ ଟଙ୍କା ଥିଲା ତାହା ଏବେ ୩୫୦ରୁ ୫୫୦ରେ ବିକ୍ରି ହେଉଛି । ଫଳରେ ଖାଉଟି, ବ୍ୟବସାୟୀଙ୍କ ସମେତ ମତ୍ସ୍ୟଜୀବୀ ମଧ୍ୟ ପ୍ରଭାବିତ ହେଉଥିବା ବାଲିପ୍ଲଟ କାର୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘ ସଭାପତି କହିଛନ୍ତି ।

ପାରାଦୀପ ସମୁଦ୍ରରୁ ଉତ୍ପାଦିତ ହେଉଥିବା ୭୦ ଭାର ମାଛ କୋଲକାତା ଓ କେରଳକୁ ରପ୍ତାନୀ ହୋଇଥାଏ । ଏବେ ଏହି ରାଜ୍ୟ ବାହାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାଛ ସପ୍ଲାଏ ବନ୍ଦ ରହିଛି । ଫଳରେ ସରକାର ମାଛ ବ୍ୟବସାୟକୁ କଟକଣା ମୁକ୍ତ କରିଥିଲେ ବି ପ୍ରଭାବିତ ହୋଇଛନ୍ତି ମାଛ ବ୍ୟବସାୟୀ ଓ ଗ୍ରାହକ ।