କରୋନା ମୁକାବିଲା: ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ଆପ୍, ହୋମ୍ କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ଗତିବିଧି ଉପରେ ରଖିବ ନଜର, ସଙ୍କଟ ସମୟରେ ସାହସ ବଢ଼ାଇଲା ଆଇଆଇଟି ବମ୍ବେ ।

1,654

କନକ ବ୍ୟୁରୋ: କେମିତି ହାରିବ କରୋନା? କ’ଣ କଲେ ରୋକି ହେବ କୋଭିଡ୍-୧୯ର ସଂକ୍ରମଣ? ଯେତେବେଳେ ‘ବିଶ୍ୱ ମହାମାରୀ’ କରୋନା ସାରା ମାନବ ଜାତି ପାଇଁ ଚିନ୍ତାର କାରଣ ପାଲଟିଛି ତାକୁ ହରାଇବା ପାଇଁ ବିଶ୍ୱର ଶକ୍ତିଶାଳୀ ଦେଶମାନେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ଭାରତରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏହାର ମୁକାବିଲା କରିବାକୁ ବାଟ ବାହାର କରିଛି ଆଇଆଇଟି ବମ୍ବେ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଆଇଆଇଟି ବମ୍ବେର କିଛି ଛାତ୍ରମାନେ ଅଭିଜ୍ଞ ପୂରାତନ ଛାତ୍ରଙ୍କ ସହ ମିଶି ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଉଦ୍ଭାବନ କରିଥିବା ଦାବି କରିଛନ୍ତି । ଯାହାର ନାଁ ‘କୋରଣ୍ଟାଇନ୍’ ରଖାଯାଇଛି । ସଙ୍କଟ ସମୟରେ ଏହି ସ୍ୱତନ୍ତ୍ର ଆପ୍ କରୋନା ସନ୍ଦିଗ୍ଧ ଏବଂ ହୋମ୍ କ୍ୱାରେଣ୍ଟିନ୍ ରେ ଥିବା ଲୋକଙ୍କୁ ଟ୍ରାକ୍ କରିବାର ଦକ୍ଷତା ରଖିଛି । ଏପରିକି ହୋମ୍ କ୍ୱାରେଣ୍ଟିନରେ ଥିବା କରୋନା ସନ୍ଦିଗ୍ଧଙ୍କ ପୂରା ଗତିବିଧି ଉପରେ ନଜର ରଖିବ ଏହି ଆପ୍ । ଯାହା ଦ୍ୱାରା ଗୋଷ୍ଠୀ ସଂକ୍ରମଣକୁ ସହଜରେ ରୋକା ଯାଇପାରିବ ବୋଲି ଦାବି କରିଛନ୍ତି ଏହି ଆପ୍ ପ୍ରସ୍ତୁତ କରିଥିବା ଟିମ୍ ।

ତେବେ ଅନ୍ୟ ମୋବାଇଲ୍ ଆପ୍ ଭଳି ସମାନ ଏହି ‘କୋରଣ୍ଟାଇନ୍’ ଆପ୍ କିନ୍ତୁ ଏହା କେବଳ ଏକ ସ୍ୱତନ୍ତ୍ର ସରଭର୍ ରେ ହିଁ ଚାଲିପାରିବ । ଆଉ ଜିପିଏସ୍ ଲୋକେସନ୍ ଟ୍ରାକିଂ ଥିବାରୁ କରୋନା ସନ୍ଦିଗ୍ଧ ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବ । ଯଦି କୌଣସି କରୋନା ସନ୍ଦିଗ୍ଧ ତାଙ୍କ ହୋମ୍ କ୍ୱାରେଣ୍ଟିନ୍ ପରିସର ବାହାରକୁ ଯାଆନ୍ତି ତେବେ ସଂଗେ ସଂଗେ ଏହା ‘କୋରଣ୍ଟାଇନ୍’ ଆପର ଅଫିସିଆଲ ୱେବସାଇଟକୁ ଆଲର୍ଟ କରାଇବ ।

ସବୁଠାରୁ ବଡ଼ କଥା ହେଲା ଏହି ଆପ୍ ର ପୂରା ଫିଚର୍ସ କେବଳ ସରକାରଙ୍କ ତତ୍ୱାବଧାନ କାର୍ଯ୍ୟକ୍ଷମ ହେବ । ସ୍ୱୀକୃତିପ୍ରାପ୍ତ ଆଡମିନ୍ ହିଁ ଏହାକୁ ବ୍ୟବହାର କରିପାରିବେ । ତା’ସହ ହୋମ୍ କ୍ୱାରେଣ୍ଟିନରେ ଥିବା କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖିପାରିବେ । ତେବେ ଏହି ଆପର ଉଦ୍ଦେଶ୍ୟ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଆଉ ଭାରତ କରୁଥିବା କରୋନା ଲଢ଼େଇରେ ସଫଳ ହେବା ।