ନିଜାମୁଦ୍ଦିନ ସମାବେଶର ଓଡ଼ିଶା କନେକସନ୍ : କେନ୍ଦ୍ରାପଡ଼ା, ଯାଜପୁର ପରେ କୋରାପୁଟ ଜିଲ୍ଲାରୁ ସମାବେଶରେ ଯୋଗଦେବାକୁ ଯାଇଥିଲେ ଦୁଇ ଜଣ, ନଜର ରଖାଯାଇଥିବା କହିଲେ ଜିଲ୍ଲାପାଳ ।

1,225

କନକ ବ୍ୟୁରୋ: ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ତନାଘନା । ଯାଜପୁର ଓ କେନ୍ଦ୍ରାପଡ଼ା ପରେ ଏବେ କୋରାପୁଟରୁ ଦୁଇ ଜଣ ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶକୁ ଯାଇଥିବା ସୂଚନା ମିଳୁଛି । ଏନେଇ ଜିଲ୍ଲାପାଳ ମଧୁସୁଦନ ମିଶ୍ର ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ରାଜ୍ୟର ଯାଜପୁର, କେନ୍ଦ୍ରାପଡାରୁ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇ ଫେରିଥିବା ଦୁଇ ଜଣଙ୍କୁ ମଧ୍ୟ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲାପାଳ । ଏହାସହିତ ପରିବାର ଲୋକଙ୍କୁ ହୋମ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିବା ପରେ କେଉଁଠିକୁ ଯାଇଥିଲେ ଓ କାହାକାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଅନୁସନ୍ଧାନ ଜାରି ରଖିଛି ପୋଲିସ ।

ସବୁଠାରୁ ବଡ଼ କଥା ହେଲା, ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ସେପଟେ କରୋନାର କେନ୍ଦ୍ର ସ୍ଥଳ ଭାବେ ଉଭା ହେବା ବରେ ଦିଲ୍ଲୀ ନିଜାମଦୁଦ୍ଦିନ ତବଲିଗ୍-ଇ-ଜମାତକୁ ପୁରା ଖାଲି କରାଯାଇଛି । ଏହା ଭିତରେ ଥିବା ପ୍ରାୟ ୨ହଜାର ଲୋକଙ୍କୁ ବାହାର କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ହସ୍ପିଟାଲକୁ ନିଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭି ହୋଇଥିବା ବେଳେ ୭ଶହ ଜଣଙ୍କୁ କ୍ୱାରେନଟାଇନରେ ରଖାଯାଇଛି ।