କରୋନା କାଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ନୂଆ ମାଧ୍ୟମ । ଘରକୁ ନଯାଇ ଖବରକାଗଜରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ।

ଖବରକାଗଜରେ ବହୁ ସଂଖ୍ୟାରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପରିବାରବର୍ଗ ଓ ସମ୍ପର୍କୀୟ

254

କନକ ବ୍ୟୁରୋ: ଏକ ସାମାଜିକ ସଙ୍କଟ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଭୟରେ ପାଖ ପଶୁ ନାହାଁନ୍ତି ରକ୍ତ ସମ୍ପର୍କୀୟ । କେବଳ ଜୀବିତ ଅବସ୍ଥାରେ ନୁହଁନ୍ତି ମୃତ୍ୟୁ ପରେ ବି ଶେଷ ସମ୍ମାନ ଟିକକ ମିଳୁନି । କେଉଁଠି କେଉଁଠି ମୃତ ଦେହ ଘଣ୍ଟା ଘଣ୍ଟା ପଡି ରହିବା ପରେ ସ୍ୱେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ ଶବଦାହ କରୁଛନ୍ତି । ତେବେ ଏଭଳି ସମୟରେ ଖବର କାଗଜରେ ଭରି ଯାଉଛି ଶ୍ରଦ୍ଧାଞ୍ଜଳି ।

କରୋନା ସଂକ୍ରମଣର ଭୟ ଏମିତି ଡରାଉଛି ଯେ, କାହାର ମୃତ୍ୟୁ ହେଲେ, ପାଖକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ତ ଦୂରର କଥା, ଶେଷ ଦର୍ଶନ ମଧ୍ୟ କରି ପାରୁ ନାହାଁନ୍ତି ସମ୍ପର୍କୀୟ । ଏପରିକି ଜନ୍ମ କରିଥିବା ପୁଅ ଝିଅ ବି ମୃତ ବାପା-ମାଆଙ୍କୁ ଶେଷ ଥର ପାଇଁ ମଧ୍ୟ ଦେଖି ପାରୁ ନାହାଁନ୍ତି । ସେହିପରି ବାପା ମାଆ ବଢ଼ିଲା ପୁଅ- ଝିଅର ମୃତ୍ୟୁ ହେବା ପରେ ବି ଥରଟିଏ ଦେଖି ପାରୁ ନାହାଁନ୍ତି । ଏଭଳି ସମୟରେ ଦୂରରେ ଥାଇ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ସମ୍ପର୍କୀୟ । ପ୍ରତ୍ୟେକ ଦିନ ସକାଳୁ ସକାଳୁ ଖବର କାଗଜ ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳୁଛି ଶ୍ରଦ୍ଧାଜ୍ଞଳିର ତାଲିକା ।

ଗୋଟିଏ ପଟେ କରୋନା ସଂକ୍ରମଣର ଭୟ ଅନ୍ୟପଟେ କୋଭିଡ୍ କଟକଣା ଏକପ୍ରକାର ନିଜର ଲୋକଙ୍କୁ ଦୂରେଇ ଦେଉଛି । ସତେ ଯେମିତି ଏହା ଏକ ସାମାଜିକ ସଂକଟ ପରିସ୍ଥିତି ସୃଷ୍ଟି କରିଛି । ହେଲେ, ସଂକ୍ରମଣ ଯେଉଁଭଳି ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଉଜାଡି ଦେଉଥିବାର ଖବର ସାମାନାକୁ ଆସୁଛି, ଯେ କେହି ବି ଭୟ କରିବା ସ୍ୱାଭାବିକ । ତଥାପି ନିଜର କର୍ତବ୍ୟ ପାଳନ ଓ ଜୀବନ ରକ୍ଷା କରିବାର ଦୋଛକିରେ ପଡି ଯାଉଛି ସାଧାରଣ ମଣିଷଟିଏ । ଖବରକାଗଜରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଟକଣାକୁ ମାନି ନିଜର କର୍ତବ୍ୟ ପାଳନ କରିବା ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ ହୋଇଛି ।