ଆସିଲା ଆଇସିଏମଆର ତୃତୀୟ ସେରୋସର୍ଭେ ରିପୋର୍ଟ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ପାଂଚ ଜଣରେ ଜଣେ କରୋନା ସଂକ୍ରମିତ ହେବା ନେଇ ସୂଚନା

ଦେଶରେ ୨୧.୩ ପ୍ରତିଶତଙ୍କ ଦେହରେ ମିଳିଛି ଆଂଟିବଡି; ସେପଟେ ରାଜ୍ୟର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ହେଲା କରୋନା ମୁକ୍ତ

124

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ଦେଶର ଏକ ପଂଚମାଂଶ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ । ଆଇସିଏମଆରର ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅର୍ଥାତ୍ ଡିସେମ୍ବର ମଝି ବେଳକୁ ଦେଶର ପ୍ରତି ୫ ଜଣରେ ଜଣେ କରୋନା ଆକ୍ରାନ୍ତ ହୋଇସାରିଥିବେ । ସେପଟେ ସର୍ଭେ ରିପୋର୍ଟ ଆଧାରରେ ଆଇସିଏମଆର କହିଛି, ୧୦ରୁ ୧୮ ବୟସର ପିଲାଙ୍କ ମଧ୍ୟରେ ୨୫.୩ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ସେରୋ ସର୍ଭେରୁ ଜଣାପଡିଛି ।

ସାମଗ୍ରିକ ଭାବେ ଦେଶର ପ୍ରାୟ ୨୧.୩ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ବିକାଶ ଲାଭ କରିସାରିଲାଣି । ପୂର୍ବରୁ ଏପ୍ରିଲ ମାସରେ ହୋଇଥିବା ପ୍ରଥମ ସେରୋ ସର୍ଭେରେ ଦେଶର ମାତ୍ର ୦.୭ ପ୍ରତିଶତଙ୍କ ପାଖରେ କରୋନା ଆଂଟିବଡି ବିକାଶ କରିଥିଲା । ସେହିପରି ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଏହି ପ୍ରତିଶତ ବୃଦ୍ଧି ଘଟି ୭.୧ ପ୍ରତିଶତ ହୋଇଥିଲା । ଏହି ସର୍ଭେ ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା । ଅନ୍ୟପଟେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୨୫.୭ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ସୂଚନା ମିଳିଛି ।

ସେପଟେ, ରାଜ୍ୟର ଦୁଇଟି ଜିଲ୍ଲା କରୋନା ମୁକ୍ତ ହୋଇଛି । ନବରଙ୍ଗପୁର ପରେ କରୋନା ମୁକ୍ତ ହୋଇଛି କନ୍ଧମାଳ ଜିଲ୍ଲା । ଅର୍ଥାତ ଏହି ଦୁଇ ଜିଲ୍ଲାରେ ଜଣେ ହେଲେ ସକ୍ରିୟ କରୋନା ଆକ୍ରାନ୍ତ ନାହାଁନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ମୋଟ ସକ୍ରିୟ କରୋନା ମାମଲା ୮ଶହ ତଳକୁ ଖସି ଆସିଛି । ଫଳରେ ରାଜ୍ୟରେ ସକ୍ରିୟ ମାମଲା ୭୯୮କୁ ହ୍ରାସ ପାଇଛି । ଏବେ କରୋନା ମାମଲାରେ ଓଡ଼ିଶା ଗ୍ରୀନ ଜୋନରେ ରହିଛି ।

ଗତ ୨୪ ଘଂଟାରେ ୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୯୦୭ରେ ପହଁଚିଛି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏପର୍ଯ୍ୟନ୍ତ ୩ ଲକ୍ଷ ୩୫ ହଜାର ୩୬୯ ମାମଲା ସାମନାକୁ ଆସିଥିବା ବେଳେ ୩ ଲକ୍ଷ ୩୨ ହଜାର ୬୧୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ୧ ଲକ୍ଷ ୫୨ ହଜାର ୩୬୦ ସକ୍ରିୟ ଆକାନ୍ତ ରହିଛନ୍ତି, ତେବେ ଓଡ଼ିଶାରେ ଏହିସଂଖ୍ୟା ୭୯୮କୁ ଖସିଆସିଛି ।