ଦ୍ରୁତ କରୋନା ସଂକ୍ରମଣ ବଢାଇଲା ଦ୍ୱିତୀୟ ଲହରି ଭୟ : ଶୀଘ୍ର ଟିକାକରଣ ପାଇଁ ୫ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ

କହିଲେ ୫ରାଜ୍ୟର ୧୪ ଜିଲ୍ଲାରେ ସ୍ଥିତି ହେଉଛି ଗମ୍ଭୀର; ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କମ ସମୟ ଭିତରେ ଟିକା ଦେବାକୁ ନିର୍ଦ୍ଦେଶ

317

କନକ ବ୍ୟୁରୋ : ଦେଶରେ ୫ଟି ରାଜ୍ୟରେ ପଜିଟିଭ ମାମଲା ବୃଦ୍ଧି ପାଇବା ପରେ କରୋନାର ଦ୍ୱିତୀୟ ଲହରି ଭୟ ଘାରିଛି । ଏନେଇ କେନ୍ଦ୍ର ସରକାର ୫ଟି ରାଜ୍ୟକୁ ଶୀଘ୍ର ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଙ୍ଗଳବାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଂଜାବ, ଛତିଶଗଡ ଓ ଜାମ୍ମୁକାଶ୍ମୀର ସରକାରଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କୋଭିଡ ଯୋଦ୍ଧାଙ୍କୁ ଶୀଘ୍ର ଟିକାକରଣ କରିବାକୁ ଚିଠି ଲେଖିିଛନ୍ତି । ଏଥିସହ ୫ରାଜ୍ୟର ୧୪ ଜିଲ୍ଲାରେ ଦ୍ରୁତ ସଂକ୍ରମଣ ହେଉଥିବାରୁ ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ହେଲଥ ୱାର୍କର, ଫ୍ରଂଟ କୋଭିଡ ୱାରିଅରଙ୍କୁ ଶୀଘ୍ର ଟିକା ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଦ୍ରୁତ ସଂକ୍ରମଣ ଓ ଦୈନିକ ପଜିଟିଭ ମାମଲା ଚିହ୍ନଟ ଜିଲ୍ଲାଗୁଡିକରେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଖୁବ କମ ସମୟ ଭିତରେ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଲେଖିଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ମହାରାଷ୍ଟ୍ର ସରକାରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ ମନୋହର ଅଗ୍ନାନି ଚିଠି ଲେଖି କହିଛନ୍ତି, ଗତ କିଛି ଦିନ ଭିତରେ ମହାରାଷ୍ଟ୍ରର ୬ଟି ଜିଲ୍ଲାରେ ପଜିଟିଭ ମାମଲା ବଢିଛି । ପୁଣେ, ନାଗପୁର, ମୁମ୍ବାଇ, ସୁବୁରବାନ, ଅମରାବତୀ, ଥାନେ ଓ ଏକୋଲା ଜିଲ୍ଲାର ସ୍ୱାସ୍ଥ୍ୟକର୍ମଚାରୀ ଓ ସମ୍ମୁଖ କୋଭିଡ ଯୋଦ୍ଧାଙ୍କୁ ପ୍ରାଥମିକତା ଭିତିରେ ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ସେହିପରି ମଧ୍ୟପ୍ରଦେଶ ସରକାରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ତାଗିଦ କରି ଚିଠି ଲେଖି ଜଣାଇଛି, ରାଜ୍ୟର ୩ଟି ଜିଲ୍ଲାରେ କରୋନା ମାମଲା କିଛି ଦିନ ହେଲା ବଢିବାରେ ଲାଗିଛି ।

ଇନ୍ଦୋର, ଭୋପାଳ ଓ ବେତୁଲା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଥିବାରୁ ଯୁଦ୍ଧକାଳୀନ ଭିତରେ ସ୍ୱାସ୍ଥ୍ୟକର୍ମଚାରୀ ଓ ସମ୍ମୁଖ କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ । ସେହିପରି ପଂଜାବର ଏସବିଏସ ନଗର, କପୁରଥଲା ଓ ଶ୍ରୀମୁକ୍ତାସର ସାହିବ ଜିଲ୍ଲାରେ ସଂକ୍ରମଣ ବଢିଛି । ଜାମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲା ଓ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲା ଦ୍ରୁତ ବେଗରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।