ଉପର ମୁହାଁ କରୋନା ଗ୍ରାଫ: ୨୪ ଘଂଟାରେ ୩ ଲକ୍ଷ ୪୭ ହଜାର ଆକ୍ରାନ୍ତ ଚିହ୍ନଟ, ହେଲେ ଦିଲ୍ଲୀରେ କମୁଛି ସଂକ୍ରମଣ

84

କନକ ବ୍ୟୁରୋ: ଦେଶରେ ପୁଣି ବଢିବାରେ ଲାଗିଛି କରୋନା ମହାମାରୀର ପ୍ରକୋପ । ଧିରେ ଧିରେ ବେକାବୁ ହେଲାଣି ସଂକ୍ରମଣ । କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେଉଥିବା ଲକ୍ଷ କରାଯାଉଛି । ଗତ ୨୪ ଘଂଟାରେ ଦେଶରେ ପାଖାପାଖି ସାଢେ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୭୦୩ ଜଣ ମାରାତ୍ମକ କରୋନାରେ ପ୍ରାଣ ହରାଇଛନ୍ତି ।

ପୁଣି ଉପର ମୁହାଁ କରୋନା ଗ୍ରାଫ । ଭାରତରେ ପିକ୍ ଆଡକୁ ମୁହାଁଉଛି କରୋନାର ତୃତୀୟ ଲହର । ଦେଶରେ ସାଢେ ତିନି ଲକ୍ଷ ମୁହାଁ କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ
– ୩,୪୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
– ବୁଧବାର ତୁଳନାରେ ଗୁରୁବାର ୨୯,୭୨୨ ଅଧିକ ମାମଲା ସାମ୍ନାକୁ ଆସିଛି
– ଗୁରୁବାର ଦେଶରେ ୭୦୩ଜଣ କରୋନାରେ ପ୍ରାଣ ହରାଇଛନ୍ତି
– ସକ୍ରିୟ ମାମଲା ୨୦ ଲକ୍ଷ ପାର କରିଛି
– ଦେଶରେ ସକ୍ରିୟ ମାମଲା ୨୦,୧୮,୮୨୫ରେ ପହଞ୍ଚିଛି
– ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟ ୯,୬୯୨କୁ ବୃଦ୍ଧି ପାଇଛି
– ଗତ ୨୪ ଘଂଟାରେ ୨,୫୧,୭୭୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି

ସେପଟେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଏବେ ଧିରେ ଧିରେ କମ ହେବାରେ ଲାଗିଛି । ଯାହାକୁ ନେଇ ଦିଲ୍ଲୀରେ କଟକଣା କୋହଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସପ୍ତାହନ୍ତ କର୍ଫ୍ୟୁ ହଟାଇବା ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ଖାରଜ କରିଛନ୍ତି ଉପ-ରାଜ୍ୟପାଳ ଅନୀଲ ବୈଜବ । ଦିଲ୍ଲୀରେ କୋଭିଡ ପରିସ୍ଥିତି ସୁଧୁରିବା ଯାଏ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାରଙ୍କୁ ଉପ-ରାଜ୍ୟପାଳ ବୈଜଲ ପରାମର୍ଶ ଦେଇଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀରେ କଟକଣା କୋହଳ କରିବା ସଂକ୍ରାନ୍ତ ଫାଇଲ ଉପ-ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଏଥିରେ

– ୫୦% କର୍ମଚାରୀଙ୍କ ସହ ଘରୋଇ କାର୍ଯ୍ୟାଳୟ ଖୋଲିବା
– ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପ୍ରତ୍ୟାହାର କରିବା
– ଏଥିସହ ସପ୍ତାହନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ଆବେଦନ

ହେଲେ ଉପ- ରାଜ୍ୟପାଳ ୫୦% କର୍ମଚାରୀଙ୍କ ସହ ଘରୋଇ ଅଫିସ୍ ଖୋଲିବା ପାଇଁ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ବାକି ଅନ୍ୟ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । କରୋନା ସଂକ୍ରମଣର ତୃତୀୟ ଲହର ଭିତରେ ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ କରୋନାର ବୁଷ୍ଟର ଡୋଜ୍ ପ୍ରଧାନ କରାଯାଉଛି । ଏହାସହ ୬୦ବର୍ଷରୁ ଉଦ୍ଧ୍ୱର୍ ନାଗରୀକଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯାଉଛି । କରୋନା ଲଢେଇରେ ଏହା ସବୁଠାରୁ ବଡ ଅସ୍ତ୍ର ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।