ଓଡିଶାରେ ପହଁଚିଲା କରୋନା ଔଷଧ । ପ୍ରଥମ ପର୍ଯ୍ୟାୟରେ ପହଁଚିଲା ରେମଡେସିଭିର ଓ ଫାବି ଫ୍ଲୁ, ମଧ୍ୟମ ଆକ୍ରାନ୍ତ ରୋଗୀଙ୍କ ପାଇଁ ହେବ ସହାୟକ

626

କନକ ବ୍ୟୁରୋ : ଜୁନ୍ ମାସରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ସ୍ତରରେ ପହଁଚିଥିବା ବେଳେ ଆସିଛି ବଡ ଧରଣର ଆଶ୍ୱସ୍ତିର ଖବର । ଓଡିଶାରେ ପହଁଚିଯାଇଛି କରୋନା ଔଷଧ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରେମଡେସିଭିର ମେଡିସିନ୍ ଏବେ ରାଜ୍ୟରେ ଉପଲବ୍ଧ ହୋଇଥିବା ରାଜ୍ୟ ଡ୍ରଗ୍ସ କଂଟ୍ରୋଲର ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ଏକ ଔଷଧ ଫାବି ଫ୍ଲୁ ମଧ୍ୟ ଓଡିଶା ଆସିଛି । ଏହି ଦୁଇ ଔଷଧ ସହ ରାଜ୍ୟରେ ପ୍ରଚୁର ପରିମାଣରେ ଡେକ୍ସାମେଥାସୋନ ଭଳି ଔଷଧ ମହଜୁଦ ରହିଛି । ଅଳ୍ପ ଲକ୍ଷଣଠାରୁ ଗୁରୁତର ରୋଗୀଙ୍କୁ ଏସବୁ ଔଷଧ ମାଧ୍ୟମରେ ଚିକିତ୍ସା କରାଯିବ । ଡାକ୍ତର ଆଉ ଲକ୍ଷଣ ଦେଖି ଔଷଧ ଦେବେ ନାହିଁ । ବରଂ କରୋନା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ଦିଆଯିବ ।

କରୋନା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ନଥିବା ବେଳେ ଡାକ୍ତରମାନେ ଲକ୍ଷଣକୁ ଦେଖି ଚିକିତ୍ସା କରୁଥିଲେ । ଥଣ୍ଡା, ସର୍ଦ୍ଦି ଥିଲେ ଥଣ୍ଡା ଔଷଧ, କାଶ ହେଉଥିଲେ କଫ୍ ସିରପ, ଜର ହେଉଥିଲେ ପାରାସିଟାମଲ ଦିଆଯାଉଥିଲା । ଯେଉଁ ଆକ୍ରାନ୍ତଙ୍କ ଥଣ୍ଡା ଅଧିକ ଥିଲା ସ୍ଥଳ ବିଶେଷରେ ସେମାନଙ୍କୁ ଦିଆଯାଉଥିଲା । ଅକ୍ସିଜେନ୍ ସ୍ତର କମିଲେ ଅକ୍ସିଜେନ ଦିଆଯାଉଥିଲା, ସେହିପରି ଗୁରୁତର ରୋଗୀଙ୍କୁ ଆଇସିୟୁ, ଆବଶ୍ୟକ ପଡିଲେ ଭେଂଟିଲେଟରରେ ରଖାଯାଉଥିଲା । ଏବେ କିନ୍ତୁ କରୋନା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ଉପଲବ୍ଧ ହୋଇଛି । ରେମଡେସିଭିର, ଫାବି ଫ୍ଲୁ , ଡେକ୍ସାମେଥାସୋନ ଭଳି ଔଷଧ ଓଡିଶାକୁ ଆସିଯାଇଛି ।

ଗ୍ଲେନମାର୍କ କଂପାନୀର ଦ୍ୱାରା ପ୍ରସ୍ତୁତ ଫାବି ଫ୍ଲୁ ବଟିକା ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଦିଆଯିବ । ରେମଡେସିଭିର – ମଧ୍ୟମରୁ ଗୁରୁତର ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ଏହି ଆଂଟି-ଭାଇରାଲ ମେଡିସିନ୍ । ଆକ୍ରାନ୍ତଙ୍କୁ ରେମଡେସିଭିର ଦିଆଗଲେ ୫ ଦିନ ହ୍ରାସ ପାଇବ ସଂକ୍ରମଣ ମୁକ୍ତ ହେବା ସମୟ ।

ଡେକ୍ସାମେଥାସୋନ – ଯେଉଁ ରୋଗୀମାନେ ଅକ୍ସିଜେନ ସର୍ପୋଟ ଆବଶ୍ୟକ କରୁଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହୃତ ହେବ । ଆର୍ଥାଇଟିସ୍ ରୋଗୀଙ୍କ ଯନ୍ତ୍ରଣା କମାଇବା ପାଇଁ ବ୍ୟବହାର କରାଯାଇଥାଏ ଏହି ଷ୍ଟେରଏଡ୍ । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏବେ ରାଜ୍ୟକୁ କରୋନା ପାଇଁ ନିର୍ଦ୍ଦିଷ୍ଟ ଔଷଧ ଆସି ଯାଇଥିବାରୁ ପୂର୍ବାପେକ୍ଷା ସହଜ ହୋଇଯାଇଛି ଚିକିତ୍ସା ।