କରୋନା ଲକଡାଉନ୍ ବଢାଇଛି ମାନସିକ ରୋଗ । ଏମ୍ସରେ ନିଶା ଜନିତ ମାନସିକ ରୋଗୀ ୨୦% ବୃଦ୍ଧି ।

Advertisment
କରୋନା ଲକଡାଉନ୍ ବଢାଇଛି ମାନସିକ ରୋଗ । ଏମ୍ସରେ ନିଶା ଜନିତ ମାନସିକ ରୋଗୀ ୨୦% ବୃଦ୍ଧି ।

କନକ ବ୍ୟୁରୋ: କରୋନା ମହାମାରୀ କାଳରେ ଅତ୍ୟଧିକ ସତର୍କତା, ଲକଡାଉନ ସମୟର ଅବସର କିମ୍ବା ଚାକିରି ଚାଲିଯିବା ଭଳି ମାନସିକ ଚାପ ଯୋଗୁଁ ବିଶ୍ୱବ୍ୟାପୀ ମାନସିକ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଚିକିତ୍ସା ବିଜ୍ଞାନର ଚିନ୍ତା ବଢିଯାଇଛି । ତେବେ ନଜର ପକାନ୍ତୁ ବିଶ୍ୱବ୍ୟାପୀ ଏହି ରିପୋର୍ଟ ଉପରେ...

ଜୁଲାଇ ୨୦୨୦ ପରେ ହୋଇଥିବା ସର୍ଭେକ୍ଷଣ

  • ୩୬% ଲୋକ ଠିକରେ ଶୋଇ ପାରୁନାହାନ୍ତି
  • ୩୨% ଲୋକଙ୍କ ଖାଦ୍ୟ ଗ୍ରହଣ କମିଯାଇଛି
  • ୧୨% ଲୋକଙ୍କ ମଦ କିମ୍ବା ଅନ୍ୟ ନିଶା ସେବନ ବଢିଛି
  • କରୋନା ୧୨% ଲୋକଙ୍କ ମାନସିକ ଚାପ ବଢାଇ ଦେଇଛି

ବିଶ୍ୱର ପ୍ରାୟ ୧୩୦ଟି ଦେଶରେ ହୋଇଥିବା ଏହି ସର୍ଭେକ୍ଷଣରୁ ଜଣାପଡିଛି ଯେ, ୨୦୧୯ ଜାନୁଆରୀରୁ ଜୁନ୍ ମଧ୍ୟରେ ପ୍ରାୟ ୧୧ ପ୍ରତିଶତ ଲୋକ ଅତ୍ୟଧିକ ମାନସିକ ଚାପରେ ରହୁଥିବାବେଳେ ୨୦୨୧ ଜାନୁଆରୀ ପରେ ଏହା ୪୧ ପ୍ରତିଶତକୁ ବଢିଯାଇଛି । ବିଶ୍ୱବ୍ୟାପୀ ଏଭଳି ରିପୋର୍ଟ ପରେ ଭୁବନେଶ୍ୱର ଏମ୍ସରୁ ଆସିଛି ସମାନ ଧରଣର ତଥ୍ୟ । କରୋନା ଏବଂ ଲକଡାଉନ ପରେ ଏମ୍ସକୁ ଆସୁଥିବା ନିଶା ଜନିତ ମାନସିକ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଏଥିମଧ୍ୟରେ ବ୍ରାଉନସୁଗାର ଭଳି ନିଶା ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ବୋଲି କହିଛନ୍ତି ଏମ୍ସ ମନସ୍ୱତ୍ତ୍ୱ ବିଭାଗ ବିଶେଷଜ୍ଞ ଡାକ୍ତର ଦେବଦତ୍ତା ମହାପାତ୍ର ।

ଏମ୍ସକୁ ଦୈନିକ ଆସୁଥିବା ହାରାହାରି ୬୦ରୁ ୭୦ ମାନସିକ ରୋଗୀଙ୍କ ଭିତରୁ ୧୫ରୁ ୨୦ ପ୍ରତିଶତ ନିଶାଜନିତ କାରଣରୁ ଆସୁଛନ୍ତି । ପୂର୍ବରୁ ଏଭଳି ରୋଗୀଙ୍କ ସଂଖ୍ୟା ଯାହାଥିଲା ଲକଡାଉନ, ସଟଡାଉନ ପରେ ଏହା ବଢିଥିବା କହିଛନ୍ତି ଏମ୍ସର ବିଶେଷଜ୍ଞ ଡାକ୍ତର । ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

ବିଶ୍ୱବ୍ୟାପୀ ହୋଇଥିବା ସର୍ଭେକ୍ଷଣରୁ ଜଣାପଡିଛି କମ ଆୟୁର ବୟସ୍କଙ୍କ ଭିତରେ ମାନସିକ ଚାପରୁ ମୁକ୍ତି ପାଇଁ ନିଶା ସେବନ ଭଳି ଅଭ୍ୟାସ ବଢିଯାଇଛି । ଅଧିକ ଆୟୁର ବୟସ୍କଙ୍କ କ୍ଷେତ୍ରରେ ଏହା ୧୩ ପ୍ରତିଶତ ଥିବାବେଳେ କମ୍ ଆୟୁର ବୟସ୍କଙ୍କ କ୍ଷେତ୍ରରେ ଏହା ୨୫ ପ୍ରତିଶତ । ସେହିପରି ଆତ୍ମହତ୍ୟା ପ୍ରବଣତା ମଧ୍ୟ ୧୧ ପ୍ରତିଶତ ତୁଳନାରେ ୨୬ ପ୍ରତିଶତ ରହିଛି । କରୋନା ଲକଡାଉନ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ଏବଂ ଅନେକଙ୍କ ଚାରିକି ଚାଲିଯିବାକୁ ଏହାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe