କରୋନା ଛଡ଼ାଇନେଲା ଜୀବିକା : କୋରିଓଗ୍ରାଫର୍ ସାଉଲିଙ୍ଗ୍ ଆଜି ଚା’ ଦୋକାନୀ; ଖାଲି ଓଲିଉଡ଼୍ ନୁହେଁ ବଲିଉଡ଼୍ ଫିଲ୍ମରେ ବି କୋରିଓଗ୍ରାଫି କରିଛନ୍ତି ସାଉଲିଙ୍ଗ୍

146

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ବୁରୁଝରି ପଞ୍ଚାୟତ ପି.ନୂଆଗାଁ ଗ୍ରାମର ସାଉଲିଙ୍ଗ୍ ପଢ଼ିଆଳି । ଓଲିଉଡ଼୍, ବଲିଉଡ଼୍ ଓ ଯାତ୍ରା ଜଗତର ଜଣେ ଯୁବ ଏବଂ ଦକ୍ଷ କୋରିଓଗ୍ରାଫର୍ । ହେଲେ ଅଭିନେତା ଓ ଅଭିନେତ୍ରୀଙ୍କ ଗହଣରେ ଦିନ କାଟୁଥିବା ସାଉଲିଙ୍ଗ୍‌ ଆଜି ପାଲଟିଯାଇଛନ୍ତି ଜଣେ ଚା ଦୋକାନୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କରୋନା କଟକଣା ତାଙ୍କ ଠାରୁ ଜୀବିକା ଛଡ଼ାଇ ନେବା ପରେ ପରିସ୍ଥିତିରେ ପଡ଼ି ଆଜି ଚା ବିକିବାକୁ ବାଧ୍ୟ ହୋଇଛନ୍ତି । ନିଜ ଗାଁ ନିକଟ ତଥା ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତାଛକରେ ଛାଟିମାଟି କୁଡ଼ିଆ ଭିତରେ ମାଟିହାଣ୍ଡି ଚାଦୋକାନଟିଏ ଖୋଲି ସାଉଲିଙ୍ଗ୍ ପ୍ରତିପୋଷଣ କରୁଛନ୍ତି । ବିଭିନ୍ନ କିସମର ଚା ସହ କାଜୁ ରାବିଡ଼ି ଆଦି ବିକୁଛନ୍ତି ।

ସାଉଲିଙ୍ଗ୍ ପଢ଼ିଆଳି ସଭିଙ୍କ ମହଲରେ ଗୁରୁ ଭାବେ ପରିଚିତ । ବାପା ରଙ୍ଗନାଥ ପଢ଼ିଆଳି ଗୁଜରାଟରେ କାମ କରୁଥିବା ବେଳ‌େ ସାଉଲିଙ୍ଗ୍ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୦ ବର୍ଷ ବୟସ ବେଳେ ବାପା ଆରପାରିକୁ ଚାଲିଯିବା ପରେ ମା ବୁଦ୍ଧି କଷ୍ଟେ‌ମଷ୍ଟେ ଲାଳନପାଳନ କରିଥିଲେ । କିନ୍ତୁ ପିଲାଟି ଦିନରୁ ସାଉଲିଙ୍ଗ୍‌ଙ୍କ ନୃତ୍ୟ ପ୍ରତି ରୁଚି ଥିଲା । ଗୁଜରାଟର ଜଣେ ନୃତ୍ୟ ଗୁରୁଙ୍କ ଠାରୁ ଶିକ୍ଷାଦାନ କରିଥିଲେ । ବାପା ଚାଲିଯିବା ପରେ ନୃତ୍ୟ ଶିକ୍ଷକଙ୍କ ଘରେ ବାସନ ଧୋଇ ଓ ଝାଡ଼ୁ ‌ଧୋଉଥିଲେ । ୧୪ ବର୍ଷ ବୟସ ବେଳକୁ ସାଉଲିଙ୍ଗ୍ ନୃତ୍ୟର ସମସ୍ତ କଳା ଶିଖିଯାଇଥିଲେ। ସମୟଚକ୍ରରେ ଅହମ୍ମଦାବାଦର ଦୀପକ ରାଜପୁତ ନାମକ ଜଣେ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ୨୦୧୭ ମସିହାରେ ବଲିଉଡ଼୍ ଫିଲ୍ମ ‘କମାଣ୍ଡୋ-୨ ସାଉଲିଙ୍ଗ୍ (ହରେ କ୍ରିଷ୍ଣା..ହରେ ରାମା) ଗୀତ ପାଇଁ କୋରିଓଗ୍ରାଫି କରିଥିଲେ। ଏହାପରେ ଧୀରେ ଧୀରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଥିଲେ । ଏହାପରେ ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦାସ୍‌ ଓ ‘ଜଗା ହାତରେ ପଘା’ର ଗୋଟିଏ ଲେଖାଏଁ ଗୀତରେ ସେ କୋରିଓଗ୍ରାଫି ଦେଇଥିଲେ । ‘ସୁନ୍ଦରଗଡ଼ର ସଲମନ୍ ଖାଁ’ ଚଳଚ୍ଚିତ୍ରରେ ମୁଖ୍ୟ କୋରିଓଗ୍ରାଫର୍‌ଙ୍କୁ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ଯାତ୍ରା ପାର୍ଟି ଓ ଆଲବମ୍‌ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । କିଛି ପିଲାଙ୍କୁ ବି ଗୁଜରାଟରେ ଡ୍ୟାନ୍ସ୍ ଶିଖାଉଥିଲେ ।

ହେଲେ ଗତ ୫ ମାସ ହେଲା ତାଙ୍କ ଦୁନିଆ ଯେମିତି ବଦଳିଯାଇଛି । ଲକ୍‌ଡାଉନ୍ ପରେ ସେ ଗୁଜରାଟରୁ ଫେରିଛନ୍ତି। ପାଖରେ କାମ ନାହିଁ । ଅର୍ଥାଭାବ ଯୋଗୁଁ ସାଉଲିଙ୍ଗ୍ ୨୦ ଦିନ ତଳେ ଚା ଦୋକାନ ଖୋଲିଛନ୍ତି । ଦିନକୁ ୨୦୦ରୁ ୩୦୦ ଟଙ୍କା ଲାଭ ମିଳୁଛି । ତାଙ୍କ ପାଖରେ ଆଶ୍ରୟ ନେଇଥିବା ଜଣେ ଅସହାୟ ବ୍ୟକ୍ତିଙ୍କୁ ପ୍ରତିଦିନ ୫୦ ଟଙ୍କା ଦେଉଛନ୍ତି । ବେଗୁନିଆପଡା ବ୍ଲକ୍ ଯୋଗାଣ ଅଧିକାରୀ ଶରତ ବେହେରା ଏହା ଜାଣିବା ପରେ ମିଲ୍ ଯୋଜନାରେ ସହାୟତା ପ୍ରଦାନ କରିଥିଲେ । ରାସନ୍‌ କାର୍ଡ଼ କିଭଳି ହେବ ଏଦିଗରେ ପଦ‌କ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଘରେ ମା’ଙ୍କ ସହ ପତ୍ନୀ ମାହେଶ୍ୱରୀ ଓ ଦୁଇ ପୁଅ ଶୋଭାରାଜ ଏବଂ ସୁନସୋ ରହୁଛନ୍ତି । ସବୁ କିଛି ଭଗବାନଙ୍କ ହାତରେ । ପରିବାର ଚଳାଇବାକୁ କିଛି ବି କରିବାକୁ ହେବ । ନଚେତ୍ ଆଉ କିଛି ଉପାୟ ନାହିଁ ବୋଲି ସାଉଲିଙ୍ଗ୍ କହନ୍ତି ।