କରୋନା : ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ । ଦିନକୁ ୯୦ ହଜାର ଆକ୍ରାନ୍ତ ହେଉଛନ୍ତି ଚିହ୍ନଟ, ୪୨ ଲକ୍ଷରେ ପହଂଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

254

କନକ ବ୍ୟୁରୋ : ଦେଶରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ପ୍ରାୟ ୯୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଭାରତ ନାଁରେ ଏକ ଅଲୋଡା ରେକର୍ଡ ସୃଷ୍ଟି ହୋଇଛି । ତାଲିକାର ଦ୍ୱିତୀୟରେ ଥିବା ବ୍ରାଜିଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତ । ଶୀର୍ଷରେ ଥିବା ଆମେରିକା ଓ ତୃତୀୟରେ ଥିବା ବ୍ରାଜିଲରେ ଧିରେ ଧିରେ ଆକ୍ରାନ୍ତ ହାର କମି ଆସୁଥିବା ବେଳେ ଭାରତରେ ଏହା ଦ୍ରୁତ ଗତିରେ ବଢି ଚାଲିଛି ।

ଅଗଷ୍ଟ ୧ – ୬୯,୯୨୧ ସଂକ୍ରମିତ
ଅଗଷ୍ଟ ୨ – ୭୮,୩୫୭ ସଂକ୍ରମିତ
ଅଗଷ୍ଟ ୩ – ୮୩,୮୮୩ ସଂକ୍ରମିତ
ଅଗଷ୍ଟ ୪ – ୮୩,୩୪୧ ସଂକ୍ରମିତ
ଅଗଷ୍ଟ ୫ – ୮୬,୪୩୨ ସଂକ୍ରମିତ
ଅଗଷ୍ଟ ୬ – ୯୦,୬୩୩ ସଂକ୍ରମିତ
ଅଗଷ୍ଟ ୭ – ୯୦,୮୦୨ ସଂକ୍ରମିତ

ଗତ ସପ୍ତାହର ତଥ୍ୟକୁ ଯଦି ଦେଖାଯାଏ ତେବେ ଭାରତରେ ପାଖାପାଖି ୮୦/୯୦ ହଜାରରୁ ଅଧିକ ଲୋକ ପ୍ରତିଦିନ କରୋନା ପଜିଟିଭ ବାହାରୁଛନ୍ତି । ବର୍ତମାନ ସ୍ଥିତିରେ ସାରା ବିଶ୍ୱରେ ଯଦି ଦେଖାଯାଏ, ତେବେ ଭାରତରେ ଏହି ମହାମାରୀ ଦ୍ରୁତଗତିରେ ବଢି ଚାଲିଛି । ଫଳରେ ଭାରତ ନାଁରେ ଏକ ଅଲୋଡା ରେକର୍ଡ ହୋଇଛି । ୱାର୍ଲ୍ଡୋ ମିଟରର ରିପୋର୍ଟ ଅନୁଯାୟୀ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲକୁ ପଛରେ ପକାଇ ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ଦ୍ୱିତୀୟରେ ରହିଛି ଭାରତ ।

ଚଳିତ ମାସର ସଂକ୍ରମଣ ତଥ୍ୟ ସ୍ପଷ୍ଟ କରୁଛି ଭାରତରେ ଉଦେବଗଜନ ଭାବେ ନୂଆ ମାମଲା ଚିହ୍ନଟ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ପ୍ରାୟ ମାସେ ହେଲା ସାରା ବିଶ୍ୱରେ ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ହଜାର ୬୧୪କୁ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର କଥା ଏହା ଯେ ସେମାନଙ୍କ ମଧ୍ୟରୁ ୩୨ ଲକ୍ଷ ୫୦ ହଜାର ୪୨୯ ସୁସ୍ଥ ହୋଇ ସାରିଛନ୍ତି । ଏବଂ ଦେଶରେ ଏବେ ୮ ଲକ୍ଷ ୮୨ ହଜାର ୫୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏବଂ ୭୧ହଜାର ୬୪୨ଜଣ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣହରାଇଛନ୍ତି ।