ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରୋନା ମହାମାରୀ । ଶେଷ ବିତର୍କରେ ଭାଗ ନେଇ ଟ୍ରମ୍ପ କହିଲେ, କିଛି ସପ୍ତାହ ମଧ୍ୟରେ ଆମେରିକାବାସୀଙ୍କ ମିଳିବ ଟିକା, ସମାଲୋଚନା କଲେ ବାଇଡେନ ।

113

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନର ଶେଷ ବିତର୍କରେ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, କିଛି ସପ୍ତାହ ମଧ୍ୟରେ ଆମେରିକାବାସୀଙ୍କୁ ମିଳିଯିବ କରୋନା ଟିକା । ନଭେମ୍ବର ୩ ତାରିଖରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଆଉ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଛି କରୋନା ମହାମାରୀ । ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କରୋନା ନିୟନ୍ତ୍ରଣ ପାଇଁ ଟ୍ରମ୍ପଙ୍କ ନିକଟରେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ ।

ଟ୍ରମ୍ପ କହିଛନ୍ତି, ‘ଚୀନରୁ ଆସିଥିବା ଏହି ଭୟଙ୍କର ରୋଗର ମୁକାବିଲା ପାଇଁ ଆମେ ବିଶ୍ୱର ସବୁଠୁ ବଡ଼ ଅର୍ଥନୀତିକୁ ବନ୍ଦ କରିଛୁ । ଏହା ବିଶ୍ୱ ମହାମାରୀ, ସମଗ୍ର ବିଶ୍ୱରେ ଏହା ରହିଛି । ବର୍ତ୍ତମାନ ୟୁରୋପ ଓ ଅନ୍ୟାନ୍ୟ ସ୍ଥାନରେ ସ୍ପାଇକ୍ ଦେଖୁଛୁ, ଯଦି ଆପଣ ଧ୍ୟାନ ଦିଅନ୍ତି, ମୃତ୍ୟୁ ହାର ୮୫ ପ୍ରତିଶତ ହ୍ରାସ ପାଇଛି । ଅନ୍ୟ ଦେଶ ତୁଳନାରେ ମୃତ୍ୟୁ ହାର ଯଥେଷ୍ଟ କମିଛି । ଫ୍ଲୋରିଡା, ଟେକ୍ସାସ୍ରେ ବଡ଼ ସ୍ପାଇକ୍ ଥିଲା ତାହା କମିଯାଇଛି । ଆରିଜୋନାରେ ବହୁତ ବଡ଼ ସ୍ପାଇକ୍ ଥିଲା, ତାହା ମଧ୍ୟ ଅତିକ୍ରମ କରିଛି । ଆଉ ଯେଉଁ ସ୍ଥାନରେ ସ୍ପାଇକ୍ ଅଛି ତାହା ମଧ୍ୟ ଚାଲିଯିବ । ଆମ ପାଖରେ ଏକ ଟିକା ଅଛି । କିଛି ସପ୍ତାହ ମଧ୍ୟରେ ଏହା ଘୋଷଣା ହେବାକୁ ଯାଉଛି ଏବଂ ବିରରଣ ହେବାକୁ ଯାଉଛି । ଆମର ଅପରେସନ୍ ଦ୍ରୁତ ଗତିରେ ହେବାକୁ ଯାଉଛି । ସାମରିକ କର୍ମଚାରୀମାନେ ଏହାକୁ ବଂଟନ କରିବାକୁ ଯାଉଛନ୍ତି ।’

ନଭେମ୍ବର ୩ରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରତିଦ୍ୱନ୍ଦୀ ଜୋ ବାଇଡେନଙ୍କ ମଧ୍ୟରେ ଶେଷ ବିତର୍କ ଚାଲିଥିବା ବେଳେ କରୋନା ଟିକାକୁ ନେଇ ବଡ଼ ଘୋଷଣା କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି, ‘ଗୋଟିଏ ଦୁଇଟି କଂପାନୀ ବେଶ ଆଗକୁ ଯାଇଛନ୍ତି । ମୁଁ ଭାବୁଛି, କିଛି ସପ୍ତାହ ମଧ୍ୟରେ ଏହା ଟିକା ବିତରଣ ହେବ । ଜନସନ୍ ଆଣ୍ଡ ଜନସନ୍ ବହୁତ ଭଲ କାମ କରିଛନ୍ତି । ମଡର୍ନା ମଧ୍ୟ ଭଲ କାମ କରୁଛି । ଫାଇଜର ବି ବହୁତ ଭଲ କରିଛି । ଏବଂ ଆମର ଅନେକ କଂପାନୀ ଟିକା କ୍ଷେତ୍ରରେ ଆଗକୁ ଯାଇଛନ୍ତି । ବିଶେଷ ଭାବରେ ୟୁରୋପ ସହିତ ଅତି ଘନିଷ୍ଠ ଭାବରେ ଆମେ କାର୍ଯ୍ୟ କରୁଛୁ ।’

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କରୋନା ନିୟନ୍ତ୍ରଣ ପାଇଁ ଟ୍ରମ୍ପଙ୍କ ନିକଟରେ କୌଣସି ଯୋଜନା ନାହିଁ । ‘ଯିଏ ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ, ସେ ଆମେରକାର ରାଷ୍ଟ୍ରପତି ରହିବା ଉଚିତ ନୁହେଁ । ଆମେ ଏପରି ସ୍ଥିତିରେ ଅଛୁ, ଯେଉଁଠାରେ ଦିନକୁ ହଜାରେରୁ ଅଧିକ ମୃତ୍ୟୁ ହେଉଛି, ପ୍ରତିଦିନ ୭୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି । ନ୍ୟୁ ଇଂଲଣ୍ଡ ମେଡିକାଲ ଜର୍ଣ୍ଣାଲ କହିଛି, ଆମେରିକାଠାରୁ ୟୁରୋପ ଯଥେଷ୍ଟ ଭଲ ସ୍ଥିତିରେ ରହିଛି । ବର୍ଷ ଶେଷ ବେଳକୁ ଆଉ ୨ ଲକ୍ଷ ଆମେରିକୀୟ ମରିଯାଇପାରନ୍ତି । ରାଷ୍ଟ୍ରପତିଙ୍କ ନିଜସ୍ୱ ପରାମର୍ଶଦାତା କହିଥିଲେ, ଯଦି କେବଳ ମାସ୍କ ପିନ୍ଧିଲେ, ୧ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବା । ଆମେ ଏପରି ସ୍ଥିତିରେ ରହିଛୁ, ଯେଉଁଠି ରାଷ୍ଟ୍ରପତିଙ୍କର ଏପର୍ଯ୍ୟନ୍ତ ଯୋଜନା ନାହିଁ । ମୁଁ କ’ଣ କରିବି, ତାହା ଜାଣିଛି । ଆମେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଉତ୍ସାହିତ କରିଛୁ । ଦ୍ରୁତ ପରୀକ୍ଷଣ ପାଇଁ ଅଧିକ ଗୁରୁତ୍ୱ ଦେବା ଜରୁରୀ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଶେଷ ବିତର୍କରେ ଫୋକସରେ ରହିଥିଲା କରୋନା ପରିଚାଳନା ଓ କେବେ ହେବ କରୋନା ନିୟନ୍ତ୍ରଣ ।