କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମହାମାରୀ ସାଂଘାତିକ ରୂପ ନେଲାଣି। ୧୨ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି। ୧୨୦ ଲୋକଙ୍କ ଜୀବନ ଗଲାଣି। ଅଥଚ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା କରିବାକୁ ପଛାଉଛନ୍ତି ଖୋଦ୍ ଏମ୍କେସିଜି ମେଡିକାଲ କଲେଜର ଡାକ୍ତର। କରୋନା ରୋଗୀଙ୍କୁ ଚିକିତ୍ସା କଲେ କାଳେ ସେମାନେ ସଂକ୍ରମିତ ହୋଇଯିବେ, ସେହି ଭୟରେ ଗୁରୁତର ରୋଗୀଙ୍କୁ ଦେଖୁନାହାନ୍ତି। ଡାକ୍ତରଙ୍କ ଏହି ଚରମ ଅବହେଳାକୁ ଧରିଛନ୍ତି ଖୋଦ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇ ଜିଲ୍ଲାରେ ଥିବା ଟାଟା କୋଭିଡ୍ ହସ୍ପିଟାଲ, ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଓ ଏମ୍କେସିଜିରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ରୋଗୀମାନଙ୍କ ଠାରୁ ପଚାରି ବୁଝିଛନ୍ତି। ରୋଗୀ ଓ ତାଙ୍କ ଆତ୍ମୀୟଙ୍କଠାରୁ ବିଭିନ୍ନ ଅଭିଯୋଗମାନ ଶୁଣିବା ପରେ ଡାକ୍ତରମାନଙ୍କ ଉପରେ ଶ୍ରୀ ମହାପାତ୍ର ଖୁବ୍ ବର୍ଷିଛନ୍ତି। ସ୍ଥିତିରେ ସୁଧାର ନ ଆସିଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚରମବାଣୀ ଶୁଣାଇଛନ୍ତି।
ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ସ୍ଥିତିର ସମୀକ୍ଷା କରିବା ବେଳେ ଏମ୍କେସିଜି ମେଡିକାଲ କଲେଜ୍ ଅଧ୍ୟକ୍ଷ, ପ୍ରଫେସର ଓ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ। ସମୀକ୍ଷା ବେଳେ ଜଣାପଡ଼ିଥିଲା, କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର କରୋନା ରୋଗୀମାନଙ୍କର ଚିକିତ୍ସା ସମ୍ପର୍କରେ ବୁଝିବାକୁ ଏମ୍କେସିଜିର ବିଭାଗୀୟ ମୁଖ୍ୟ ଡାକ୍ତର ଓ ପ୍ରଫେସରମାନେ ଯାଉନାହାନ୍ତି। ଏପରିକି କରୋନା ଭୟରେ ଡାକ୍ତରଖାନାକୁ ଅତି ଜରୁରୀ ଚିକିତ୍ସା ପାଇଁ ଆସୁଥିବା ଗର୍ଭବତୀ ମହିଳା, ଟ୍ରମା, ଅସ୍ଥିଶଲ୍ୟ, ସାଧାରଣ ଶଲ୍ୟ ଚିକିତ୍ସା ବିଭାଗରେ ବି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁନି। ଡାଏଲିସିସ୍ ୟୁନିଟ୍ ବନ୍ଦ ରହିଛି। ରୋଗୀଙ୍କ ଟେଲିଫୋନ୍ କଲ୍ ମିଳିବା ପରେ ବି ଜିଲ୍ଲାରେ ଥିବା ୧୦୮ ଓ ୧୦୪ ଆମ୍ବୁଲାନ୍ସ୍ ଗାଡ଼ି ରୋଗୀଙ୍କୁ ଆଣିବାକୁ ଯାଉନି।
ବୈଠକରେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏମ୍କେସିଜିରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଯେପରି କୌଣସି ରୋଗୀଙ୍କର ମୃତ୍ୟୁ ନ ହୁଏ, ସେଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ। ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ମିଳିବା ସହିତ ଡାଏଲିସିସ୍ ୟୁନିଟ୍କୁ ଅତିଶୀଘ୍ର ଖୋଲାଯାଉ। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ଓ ଶଲ୍ୟ ଚିକିତ୍ସା ଅଗ୍ରାଧିକାର ଦିଆଯିବ। କରୋନା ଚିକିତ୍ସାକୁ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ରୋଗୀମାନଙ୍କ ମତାମତ ନିୟମିତ ନିଆଯିବ। ଯଦି ଆଗକୁ ଏମ୍କେସିଜିର ବରିଷ୍ଠ ଡାକ୍ତରମାନେ ନିଜ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରନ୍ତି, ତା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।