କିଛି ନୁହେଁ କରୋନା ! ମହମାରୀ ମୁକାବିଲା ଭିତରେ ବିଶେଷଜ୍ଞ କହିଲେ କରୋନା ଏକ ସାଧାରଣ ରୋଗ । ସୁସ୍ଥ ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ଗୁରୁତର ହେଉଛନ୍ତି ମାତ୍ର ୫ ପ୍ରତିଶତ ।

1,591

କନକ ବ୍ୟୁରୋ: କରୋନା ଏକ ସାଧାରଣ ରୋଗ । ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକତା ନାହିଁ । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ରୁ ୮୫ ପ୍ରତିଶତ ସୁସ୍ଥ ହେଉଛନ୍ତି । ଏନେଇ ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର । ସେ କହିଛନ୍ତି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତ ଗୁରୁତର ହେଉଛନ୍ତି ବା ସେମାନଙ୍କୁ ଭେଂଟିଲେଟର ଓ ଆଇସିୟୁର ଆବଶ୍ୟକତା ପଡୁଛି ।

ତେବେ ଗୋଟିଏ ପଟେ କରୋନା ଆଁରେ ସାରା ବିଶ୍ୱ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଠାରୁ ଅନ୍ୟ ବଡ ବଡ ରାଷ୍ଟ୍ରରେ ସ୍ଥିତି ଜଟିଳ । ଏକଥା ବି ସତ ଯେ ବିଶ୍ୱ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି । ଆଉ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ବି ଭଲ । କିନ୍ତୁ କରୋନାକୁ ନେଇ ସାରା ଦେଶରେ ଲକଡାଉନ, କଂଟେନମେଂଟ, କ୍ୱାରେଂଟାଇନ ଭଳି ଚିତ୍ର । ସମସ୍ତେ ଭାବୁଥିଲେ କରୋନା ଭାରତରେ ଭୟଙ୍କର ହୋଇପାରେ । ଅବଶ୍ୟ ପୂର୍ବ ସତର୍କତା କାରଣରୁ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି । ଆଉ ଏସବୁ ସ୍ଥିତିରେ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଶର ଜଣାଶୁଣା ଓ ପ୍ରତିଷ୍ଠିତ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି କରୋନା ଏକ ସାଧାରଣ ରୋଗ । ସାଧାରଣ କାଶ, କଫ ଭଳି ରୋଗ । ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ସରକାରଙ୍କ ନିୟମ ମାନନ୍ତୁ ।

କରୋନା ଏକ ସାଧାରଣ ଶ୍ୱାସକ୍ରିୟା ଜନିତ ରୋଗ ବୋଲି ବରିଷ୍ଠ ବିଶେଷଜ୍ଞ କହିଛନ୍ତି । ଏଣୁ ପ୍ରଶ୍ନ ଉଠୁଛି ଏଣିକି ବଦଳିବ କି କରୋନା ମୁକାବିଲା ନେଇ ରଣନୀତି । କରୋନା ଯଦି ଏକ ସାଧାରଣ ରୋଗ ତେବେ କଟକଣା କୋହଳ ହେବ କି? ଏଣିକି ସରକାରଙ୍କର କରୋନା ନୀତି ବଦଳିବ କି? କାଶ ଛିଙ୍କ ଓ ଶ୍ୱାସକ୍ରିୟା ଜନିତ ଏକ ରୋଗକୁ ନେଇ ବଦଳିବ କି ମୁକାବିଲା ତରିକା । ସାଧାରଣ ଲୋକଙ୍କ ଭିତରେ ଏଭଳି ପ୍ରଶ୍ନ ଛିଡା ହେବା ସ୍ୱାଭାବିକ?

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୧୪ ବର୍ଷରୁ କମ ୨୦ ଜଣ ଶିଶୁ ସୁସ୍ଥ ହୋଇଛନ୍ତି । ଅର୍ଥାତ ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା କୈାଣସି ଶିଶୁଙ୍କ ଠାରେ ଆଉ କରୋନା ଭୂତାଣୁ ନଥିବା ଆଶ୍ୱସ୍ତି ଆଣିଛି ।

କରୋନା ସାଧାରଣ ଥଣ୍ଡା ଓ କାଶ ପରି

#ଥଣ୍ଡା_କାଶ_ପରି_କରୋନାକରୋନା ସାଧାରଣ ଥଣ୍ଡା ଓ କାଶ ପରି । ୮୫ ପ୍ରତିଶତ ଲୋକ ସୁସ୍ଥ ହେଉଛନ୍ତି, ହାରିବା ନାହିଁ କି ହାର ମାନିବା ନାହିଁ : ମାନସିକ ସ୍ତରରେ ଆମେ ଦୁର୍ବଳ ହେବା ନାହିଁ : ଅଶୋକ ମହାପାତ୍ର #CoronaVirus #COVID19 #Odisha

Posted by Kanak News on Friday, May 15, 2020