ଏପ୍ରିଲରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ! ଏସବିଆଇ ରିପୋର୍ଟରୁ ପ୍ରକାଶ, ଟିକା କରଣ ଜୋରଦାର କରିବାକୁ ବିଶେଷଜ୍ଞଙ୍କ ମତ

103

ଦେଶରେ ପୁଣି ଥରେ ଦେଖାଦେଇଥିବା କରୋନା ସଂକ୍ରମଣ ୧୦୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି । ଏହି ସଂକ୍ରମଣ ଫେବ୍ରୁଆରି ୧୫ ଠାରୁ ଆରମ୍ଭ ହୋଇଥିବା ବିଚାର କରି ଷ୍ଟେଟ ବ୍ୟାଙ୍କର ଗବେଷକମାନେ ଏହି ଆକଳନ କରିଛନ୍ତି । ଏହି ଆଧାରରେ ‌ଦୈନିକ ସଂକ୍ରମଣ ଏପ୍ରିଲ ମାସ ମଧ୍ୟଭାଗ ବେଳକୁ ଶୀର୍ଷ ସ୍ତରକୁ ଛୁଇଁବ । ସେହି ‌ସମୟ ସୁଦ୍ଧା ଦେଶରେ କରୋନା ଦ୍ବାରା ପାଖାପାଖି ୨୫ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।

ଗତବର୍ଷର ଦୈନିକ ନୂଆ ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚିବା ଲାଗି ଯେତିକି ଦିନ ଲାଗିଥିଲା ସେହି ଆଧାରରେ ଷ୍ଟେଟ ବ୍ୟାଙ୍କ ଗବେଷକମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ରିପୋର୍ଟରେ ଏହା କୁହାଯାଇଛି, ସଂକ୍ରମଣର ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରର ପ୍ରକୋପ ଅଧିକ ରହିବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆଶ୍ବାସନାର ବିଷୟ ହେଉଛି ଟିକା। ଦେଶରେ ଏବେ କରୋନା ଟିକାକରଣ ଚାଲିଛି। ସେହିଦୃଷ୍ଟିରୁ ଭାରତ ସ୍ଥିତିକୁ ଭଲଭାବେ ପରିଚାଳନା କରିପାରିବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ଗବେଷକମାନେ ଆହ୍ବାନ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ରାଜସ୍ଥାନ, ଗୁଜରାଟ, କେରଳ, ଉତ୍ତରାଖଣ୍ଡ ଓ ହରିୟାଣାରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ ଲୋକଙ୍କ ଟିକାକରଣ ଏବେସୁଦ୍ଧା ହୋଇପାରିଛି। କିନ୍ତୁ ପଂଜାବ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏହି ହାର ଅପେକ୍ଷାକୃତ କମ୍‌ ରହିଛି। ଏହିସବୁ ରାଜ୍ୟଗୁଡ଼ିକରେ ଟିକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି।

ଭାରତରେ ଦୈନିକ ଟିକା ଡୋଜ୍‌ କ୍ଷମତା ୩୪ ଲକ୍ଷ ରହିଛି। କିନ୍ତୁ ଏହାକୁ ୧ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। କୋଭିସିଲ୍‌ଡ ଓ କୋଭାକ୍ସିନର ଦୈନିକ ଉତ୍ପାଦନ କ୍ଷମତା ପ୍ରାୟ ୫୨ ଲକ୍ଷ ରହିଛି। ଏଥିରେ ଭାରତ ପକ୍ଷରୁ ବିଭିନ୍ନ ଦେଶକୁ ଦିଆଯାଇଥିବା ରପ୍ତାନି ପ୍ରତିଶ୍ରୁତିର ଆବଶ୍ୟକତା ପୂରଣ ମଧ୍ୟ ରହିଛି। ତେଣୁ ଦେଶରେ ଯଦି ଅଧିକ ଲୋକ ଟିକା ନେବାକୁ ଆଗ୍ରହୀ ଥିବା ବିଚାର କରାଯାଏ ତାହେଲେ ‌‌ଦିନକୁ ୪୦ରୁ ୪୫ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପଡ଼ିବ। ଏହି ହାରରେ ଟିକାକରଣ ଆଗକୁ ବଢ଼ିଲେ ଦେଶର ସମସ୍ତଙ୍କୁ ଟିକାକରଣ ପାଇଁ ୧ ବର୍ଷ ୯ ମାସ ସମୟ ଲାଗିବ। ଏହି କ୍ଷମତାରେ ଆଗକୁ ବଢ଼ିଲେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ୪ ମାସ ସମୟ ଲାଗିବ। ମହାରାଷ୍ଟ୍ର ଓ ପଂଜାବ ଭଳି ରାଜ୍ୟରେ ସଂକ୍ରମଣ ରୋକିବାରେ ସ୍ଥାନୀୟ ଲକ୍‌ଡାଉନ୍‌ ପ୍ରଭାବହୀନ ହୋଇଥିବା ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ୍ କଟକଣା ଯୋଗୁ ଧନଜୀବନ, କ୍ଷୁଧା ଓ ରୋଗ ଉପରେ ଗଭୀର ପ୍ରଭାବ ପଡ଼ିଛି। ତେଣୁ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ହିଁ ଏକମାତ୍ର ଉପାୟ ବୋଲି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି।

ଗୁରୁବାର ଭାରତରେ ୫୩,୩୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୧୩୨ ଦିନ ଭିତରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ଦେଶରେ କୋଭିଡ଼ଜନିତ ମୃତ୍ୟୁସଂଖ୍ୟା ୧,୬୦,୪୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି, ଯାହା ଗତ ୮୩ ଦିନ ଭିତରେ ସର୍ବାଧିକ। ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩,୬୮,୪୫୭ ରହିଛି। ଦେଶର ୧୫ଟି ଜିଲ୍ଲାରେ ନୂତନ ସଂକ୍ରମଣ ଉଚ୍ଚସ୍ତରରେ ରହିଛି। ବିଶେଷକରି ସହରାଞ୍ଚଳ ଜିଲ୍ଲାଗୁଡ଼ିକରେ ଏଭଳି ଉଚ୍ଚ ସଂକ୍ରମଣ ଦେଖିବାକୁ ମିଳିଛି। କରୋନାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଏହି ୧୫ଟି ସହରାଞ୍ଚଳ ଭିତ୍ତିକ ଜିଲ୍ଲାରେ ଅଧିକ ରହିଛି। ଗ୍ରାମାଞ୍ଚଳ ଜିଲ୍ଲାଗୁଡ଼ିକୁ ଏହା ସେତେଟା ବ୍ୟାପି ନଥିବା କୁହାଯାଇଛି।