ନୋଟ୍ ମାଧ୍ୟମରେ ବ୍ୟାପୁଛି କରୋନା ସଂକ୍ରମଣ ! ରିଜର୍ଭ ବ୍ୟାଙ୍କ ଦେଲେ ସୂଚନା, ରକ୍ଷା ପାଇବାକୁ ଯଥା ସମ୍ଭବ କରନ୍ତୁ ଡିଜିଟାଲ କାରବାର 

1,152

କନକ ବ୍ୟୁରୋ : ନୋଟ ମାଧ୍ୟମରେ ବି କରୋନା ସଂକ୍ରମଣ ବଢିପାରେ । ଏଭଳି ଚେତାବନୀ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କର ସୂଚନା ମୁତାବକ ନୋଟ ମାଧ୍ୟମରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇପାରେ । ସଂକ୍ରମିତ ବ୍ୟକ୍ତି ହାତରେ ଧରିଥିବା ନୋଟ୍ ଅନ୍ୟଜଣେ ନେଲେ ସେ ବି ସଂକ୍ରମିତ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେବା ପରେ ଏବେ ଲୋକ ମାନଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି ।

ତେଣୁ ଏହି କ୍ଷେତ୍ରରେ ସାବଧାନ ରହିବାକୁ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ  ଟ୍ରେଡର୍ସ (ସିଏଆଇଟି) ପରାମର୍ଶ ଦେବା ସହ ଯଥା ସମ୍ଭବ ଡିଜିଟାଲ ପେମେଣ୍ଟ କାରବାର କରିବାକୁ କହିଛନ୍ତି ।  କରୋନା ମହାମାରୀ ପ୍ରସାରକୁ ରୋକିବାକୁ ଜନସାଧାରଣ ବିଭିନ୍ନ ଅନଲାଇନ ବ୍ୟାଙ୍କିଙ୍ଗ, ଡିଜିଟାଲ ଚ୍ୟାନେଲ ଯଥା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ୍, କ୍ରେଡିଟ କାର୍ଡ ଓ ଡେବିଟ୍ କାର୍ଡ ମାଧ୍ୟମରେ ପୈଠ କରିପାରିବେ । 

ହେଲେ ରିଜର୍ଭ ବ୍ୟାଙ୍କର ଦେଇଥିବା ସୂଚନା ଯଦି ସତ୍ୟ ହୋଇଥାଏ । ତେବେ କରୋନା ଭୂତାଣୁ ବ୍ୟାପୁଥିବା ବିଭିନ୍ନ ମାଧ୍ୟମ ମଧ୍ୟରୁ ନୋଟ୍ କାରବାର ମାଧ୍ୟମରେ ସର୍ବାଧିକ ସଂକ୍ରମଣ ହେବ ବୋଲି ଆଶା କରାଯାଉଛି । କାରଣ ଏବେ ବି ଦେଶରେ ୮୦ ପ୍ରତିଶତ କାରବାର ନୋଟ ମାଧ୍ୟମରେ ହେଉଛି । ଅନ୍ୟପଟେ ଡିଜିଟାଲ ପେମେଣ୍ଟରେ ବିଭିନ୍ନ ଜ୍ଞାନ କୌଶଳ ବାବଦରେ ପ୍ରାୟ ୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି ।