ଦେଶରେ ଗତ ସପ୍ତାହରେ ସବୁଠି ଅଧିକ ବଢ଼ିଛି କରୋନା ସଂକ୍ରମଣ: ୭ ଦିନରେ ଚିହ୍ନଟ ହୋଇଛନ୍ତି ୪ ଲକ୍ଷ ୩୦ ହଜାର ନୂଆ ଆକ୍ରାନ୍ତ; ହେଲେ କମୁଛି ସଂକ୍ରମଣ ହାର, ମୃତ୍ୟୁ ହାର ବି କମ୍

102

କନକ ବ୍ୟୁରୋ: ଦେଶରେ ଗତ ସପ୍ତାହରେ ସବୁଠି ଅଧିକ ବଢ଼ିଛି କରୋନା ସଂକ୍ରମଣ । ଅଗଷ୍ଟ ୧୦ ରୁ ୧୬ ତାରିଖ ଅର୍ଥାତ ଗତ ସାତ ଦିନରେ ଦେଶରେ ଚିହ୍ନଟ ହୋଇଛନ୍ତି ୪ ଲକ୍ଷ ୩୦ ହଜାର ନୂଆ କରୋନା ଆକ୍ରାନ୍ତ । ଯାହାକି କୌଣସି ଗୋଟିଏ ସପ୍ତାହରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୩ ରୁ ୯ ଭିତରେ ୪ଲକ୍ଷ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ, ଅଗଷ୍ଟ ୩ ରୁ ୯ ମଧ୍ୟରେ ୧୦ ଦଶମିକ୍ ୯ ପ୍ରତିଶତ ହାରରେ ସଂକ୍ରମଣ ହାର ବଢ଼ିଥିବାବେଳେ ଗତ ସପ୍ତାହରେ ସଂକ୍ରମଣ ହାର ମାତ୍ର ୫ ଦଶମିକ୍ ୯ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ ଯାହା ତଥ୍ୟ କହୁଛି କରୋନା ସଂକ୍ରମଣ ହାର ବଢ଼ୁଥିଲେ ମଧ୍ୟ ବୃଦ୍ଧି ହାର କମ୍ ରହିଛି ।

ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ହାର କମ୍ ରହିଛି । ଗତ ସପ୍ତାହରେ କରୋନାରେ ଦେଶରେ ୬ହଜାର ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁବାକୁ ଆମେରିକାରେ ମାତ୍ର ୨୩ ଦିନ ଲାଗିଥିବାବେଳେ , ବ୍ରାଜିଲରେ ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ ଲାଗିଥିଲା । କିନ୍ତୁ ଭାରତରେ ଏହି ସଂଖ୍ୟା ଛୁଇଁବାକୁ ୧୫୬ ଦିନ ଲାଗିଛି । କୋଭିଡ୍ ମୁକାବିଲାର ସଠିକ ପରିଚାଳନା ଯୋଗୁଁ ଏହା ସମମ୍ଭ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କହାଯାଇଛି ।