ପାହାଡ଼ ଚଢ଼ିଗଲା ଭୂତାଣୁ, ନିୟମଗିରିରେ କାୟା ମେଲୁଛି କରୋନା । ଭୂତାଣୁ କବଳରେ ଡଙ୍ଗରିଆ କନ୍ଧ । ଗୋଟିଏ ଗାଁରେ ୪୬ ସଂକ୍ରମିତ ପଜିଟିଭ ଚିହ୍ନଟ

117

କନକ ବ୍ୟୁରୋ: ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରୀ ଅଂଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଗୋଟିଏ ଗାଁରୁ କରାଯାଇଥିବା ୬୨ଟି ନମୁନାରୁ ୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନିୟମଗିରି ପାହାଡ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ଭିତରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ପ୍ରଥମେ ଡଙ୍ଗରିଆମାନେ ଟେଷ୍ଟିଂ ପାଇଁ ରାଜି ହେଉନଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ବିଷମ କଟକ ବ୍ଲକ କୁର୍ଲ୍ଳୀ ପଂଚାୟତର ଗନ୍ଦିଲି ଗାଁର ଲୋକମାନେ ଟେଷ୍ଟ ପାଇଁ ରାଜି ହୋଇଥିଲେ । ଆଉ ପରୀକ୍ଷା ପରେ ଯେଉଁ ରିପୋର୍ଟ ଆସିଛି ସମସ୍ତଙ୍କୁ ଚମକାଇ ଦେଇଛି । ପରୀକ୍ଷା କରାଯାଇଥିବା ୬୨ ଜଣଙ୍କ ମଧ୍ୟରୁ ୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୭ ପୁରୁଷ , ୨ ଗର୍ଭବତୀ ସହ ୨୯ ଜଣ ମହିଳା ପଜିଟିଭ୍ ରହିଛନ୍ତି ।

ଡିଙ୍ଗରିଆମାନେ ସାଧାରଣତଃ ଡଙ୍ଗରରେ ଚାଷ କରି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳିଥାନ୍ତି । ଅଧିକାଂଶ ଡଙ୍ଗରିଆ ପ୍ରାୟତଃ ବାହାରକୁ ଯାଇ ନଥାନ୍ତି । ତେଣୁ ସେମାନେ କେମିତି ସଂକ୍ରମିତ ହେଲେ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପାଖରେ ଥିବା ହାଟ ବଜାରକୁ ଆସି କିଣାବିକା ସମୟରେ କେହି ସଂକ୍ରମିତ ହେବା ପରେ ନିୟମଗିରିରେ କରୋନା ବ୍ୟାପିଥିବା କୁହାଯାଉଛି । ଅଧିକାଂଶ ଡଙ୍ଗରିଆ ଗୋଟିଏ ଘରେ ରହୁଥିବାରୁ ପଜିଟିଭ୍ ଚିହ୍ନଟ ହେବା ସେମାନଙ୍କୁ ସଂଗରୋଧରେ ରଖିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।