ରାଜଧାନୀରେ କାୟା ମେଲାଉଛି କରୋନା : ୪ ଦିନ ହେଲା ୧୦୦ରୁ ଅଧିକ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ ଥିବାବେଳେ ସୁସ୍ଥ ହେଲେଣି ୯୦୯ ଜଣ

163

କନକ ବ୍ୟୁରୋ : ରାଜଧାନୀରେ ଜୁଲାଇ ୨୦ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ଥିଲା । ଏଥିରେ ୬୧୪ଟି ଆକ୍ଟିଭ୍ କେସ୍‌ ଥିଲା । ୬୨୫ଜଣ ସୁସ୍ଥ ହୋଇଥିଲେ । ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଧାରାକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ଆକଳନ କରିଥିଲେ ଯେ ଜୁଲାଇ ୩୧ ତାରିଖ ବେଳକୁ ରାଜଧାନୀରେ ୧୫୫୪ ଜଣ ଆକ୍ରାନ୍ତ ଥିବେ, ୫୦୭ଟି ଆକ୍ଟିଭ୍ କେସ୍‌ ଥିବ, ୧୦୩୪ଜଣ ସୁସ୍ଥ ହୋଇଯିବେ, ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିବ । କିନ୍ତୁ ଜୁଲାଇ ୨୪ରେ ବିଏମ୍‌ସିର ଆକଳନ ଭୁଲ୍‌ ହୋଇଗଲା। ଏହିଦିନ ୨୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଜୁଲାଇ ୩୧ସୁଦ୍ଧା ଯେତିକି ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଆକଳନ କରିଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଗଲା । ଆଜିକା ଦିନରେ ରାଜଧାନୀରେ ୧୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାବେଳେ ୧୦୬୯ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।

ରାଜଧାନୀରେ କରୋନା ଅତି ଗୁରୁତର ପରିସ୍ଥିତି ସୃଷ୍ଟି କଲାଣି । ବିଏମ୍‌ସି ହିସାବ କହୁଛି ୧୪ଦିନରୁ କମ୍‌ ସମୟରେ ଆକ୍ରାନ୍ତସଂଖ୍ୟା ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ବୋଲି କୁହାଯିବ। ଜୁଲାଇ ୧୬ରେ ରାଜଧାନୀରେ ୯୧୯ ଜଣ ଆକ୍ରାନ୍ତ ଥିଲେ । ଏଥିରୁ ୫୦୪ଟି ଥିଲା ଆକ୍ଟିଭ୍ କେସ୍ ‌। ଜୁଲାଇ ୨୬ରେ ୧୯୯୧ ଆକ୍ରାନ୍ତ ଥିବାବେଳେ ୧୦୬୯ଟି ଆ‌କ୍ଟିଭ୍ କେସ୍‌ ଅଛି । ମାତ୍ର ୭ଦିନରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା, ଆକ୍ଟିଭ୍ କେସ୍‌ ଦୁଇଗୁଣା ହୋଇଯାଇଛି। ୧୪ଦିନରେ ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ହୋଇଥାନ୍ତା। କିନ୍ତୁ ଏବେ ଏହା ଗୁରୁତରରୁ ଅତି ଗୁରୁତର ହୋଇଯାଇଛି ।

ରାଜଧାନୀରେ ଗତ ୪ଦିନ ହେଲା ଲଗାତାର ଭାବେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ଥରେ ଦୁଇ ଶହ ଟପିଯାଇଛି । ଜୁଲାଇ ୨୩ତାରିଖରେ ୧୨୬ଜଣ, ୨୪ରେ ୨୪୮ଜଣ, ୨୫ରେ ୧୧୧ଜଣ , ୨୬ରେ ୧୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଏମ୍‌ସିର ସବୁ ଅଙ୍କକୁ ଭୁଲ୍‌ ପ୍ରମାଣିତ କରିଦେଇଛି । ଆଉ ରାଜଧାନୀରେ କରୋନା ବେକାବୁ ହୋଇଛି ବୋଲି ସ୍ପଷ୍ଟ ହୋଇଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ବରକୁ ଲକ୍‌ଡାଉନ୍ କରିଛନ୍ତି । ବିଏମ୍‌ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଲକ୍‌ଡାଉନ୍ ନେଇ ପ୍ରସ୍ତାବ ଦେବା ପୂର୍ବରୁ ଜୁଲାଇ ୩୧ସୁଦ୍ଧା କେତେ ଆକ୍ରାନ୍ତ ଚିହ୍ନଟ ହେବେ, ରାଜଧାନୀର ସ୍ଥିତି କ’ଣ ହେବ ସେନେଇ ଯେଉଁ ଆକଳନ କରିଥିଲେ ତାହା ୪ଦିନରେ ଅତିକ୍ରମ କରିଯାଇଛି ।

ଗଞ୍ଜାମ ଜିଲ୍ଲା ପରେ ରାଜ୍ୟର ସବୁଠୁ ଅଧିକ ସମ୍ବେଦନଶୀଳ ସହର ପାଲଟିଯାଇଛି ଭୁବନେଶ୍ବର। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ପଛକୁ ଖୋର୍ଦ୍ଧା ଜିଲ୍ଲା ରହୁଛି । ଆଉ ଖୋର୍ଦ୍ଧା ଜିଲ୍ଲାର ୭୦%ରୁ ଅଧିକ ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠାରୁ କରୋନା ଆକ୍ରାନ୍ତ ବାହାରିନାହାନ୍ତି । କେବଳ ଜୁଲାଇ ମାସରେ ୧୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ଏଠାରେ କିପରି କାୟା ମେଲାଉଛି ତାହା ଜଳଜଳ ଦିଶିଲାଣି ।