୬୦ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା: ୨୪ଘଣ୍ଟାରେ ଭାରତରେ ୭୪,୩୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୮୯,୧୫୪ଜଣ ସୁସ୍ଥ

161

କନକ ବ୍ୟୁରୋ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୭୪ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୦ ଲକ୍ଷ ପାର କରିଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୯,୧୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୧୮ଜଣଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୦,୫୩,୮୦୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୭୪୯୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୮୩୩୪କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୬୦୭୭୯୭୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଭାରତରେ ୭୪,୩୮୩ ନୂଆ ମାମଲା ସାମ୍ନାକୁ ଆସିଛି ଓ ୯୧୮ଜଣ ମୃତ୍ୟୁବରଣ କରିଛନ୍ତି ।

ଏହା ସହ ଦେଶରେ ଅକ୍ଟୋବର ୯ପର୍ଯ୍ୟନ୍ତ ୮,୬୮,୭୭,୨୪୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ୧୦,୭୮,୫୪୪ନମୁନା ପରୀକ୍ଷା କରାଯାଇଛି।