ଟେନସନ ଦେଉଛି କରୋନା : ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ ଛାଇଗଲାଣି ମହାମାରୀ

ଟେନସନ ଦେଉଛି କରୋନା : ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ ଛାଇଗଲାଣି ମହାମାରୀ

କନକ ବ୍ୟୁରୋ : ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ ସବୁ ଅଫିସ, ମଲ୍‌, ଦୋକାନ ବଜାର ଖୋଲିଦିଆଯାଇଛି। କେଉଁଠି କାହା ଉପରେ କିଛି କଟକଣା ନାହିଁ। ହେଲେ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ସେଥିରେ କେବଳ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ତାହା ନୁହେଁ ସାଧାରଣ ଲୋକ ଯଦି ବାରମ୍ବାର ଅଫିସ ଦଉଡ଼ୁଛନ୍ତି ତେବେ ସତର୍କ ରହିବାର ବେଳ ଆସିଛି। କାରଣ ରାଜଧାନୀରେ ୧୫ରୁ ଅଧିକ ସରକାରୀ ଅଫିସରୁ ୨୬୬ରୁ ଅଧିକ କରୋନା ଆକ୍ରାନ୍ତ ବାହାରିଲେଣି।

କେବଳ ପ୍ରମୁଖ ସରକାରୀ ସଂସ୍ଥାର ୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରିଜର୍ଭରେ ରହୁଥିବା ପୁଲିସ କର୍ମଚାରୀ ଓ ଛୋଟ ଛୋଟ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ଆହୁରି ବଢ଼ିଯିବ। ଯେଉଁଠିକୁ ଲୋକଙ୍କ ଯାତାୟାତ ଅଧିକ ରହୁଛି ବା ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନ ସେହି ତଥ୍ୟକୁ ଦେଖିଲେ ଥାନାରୁ ଆରମ୍ଭ କରି ବ୍ୟାଙ୍କ, ବିଏମ୍‌ସି ଓ ବିଡିଏ, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ ପର୍ଯ୍ୟନ୍ତ ସବୁଠି କରୋନା ଆକ୍ରାନ୍ତ ଛାଇଗଲେଣି।

ମିଳିଥିବା ସୂଚନା ଅନୁଯାୟୀ, ଓୟୁଏଟିରେ ୩୩ ଜଣ, ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡରୁ ୬, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୨୫, ଓଡ଼ିଶା ହାଇଡ୍ରୋ ପାୱାର୍ କର୍ପୋରେସନ୍‌ରେ ୧୫, ବିଧାନସଭାରେ ୪, ତହସିଲ୍, ସବ୍ ରେଜିଷ୍ଟର୍ ଏବଂ ସବ୍ କଲେକ୍ଟର୍ ଅଫିସ୍‌ରେ ୧୫, ଓଟିଡିସିରେ ୫, କମିସନରେଟ୍ ପୁଲିସର ୭୦, ସ୍ପେସାଲ୍‌ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟରୁ ୩୫, ଲୋକସେବା ଭବନ ଏବଂ ଖାରବେଳ ଭବନରୁ ୩୫, ବିଏମ୍‌ସି, ବିଡିଏରେ ୨୩ ଜଣ ସଂକ୍ରମିତ ହୋଇଥିବାବେଳେ ସୋମବାର ଜଣେ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହିସବୁ କାର୍ଯ୍ୟାଳୟରେ କାର୍ଯ୍ୟର ପ୍ରକାର ଅନୁସାରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ସହିତ ତଥା ବିଭିନ୍ନ ବୈଠକରେ ଯୋଗଦେବାକୁ ପଡ଼ିଥାଏ। ସଂକ୍ରମଣ କିଏ ଆଣିଲା ଏବଂ କେଉଁ ବ୍ୟକ୍ତି ଠାରୁ କାହାକୁ ବ୍ୟାପିଲା ତାହା କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା କେତେକାଂଶରେ ଜଣାପଡ଼ୁଥିଲେ ହେଁ ଦୋଷାରୋପ ସ୍ଥିତିକୁ ନଯାଇ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିଷେଧକ ଅଭ୍ୟାସ ଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ଆପଣେଇବା ଦରକାର।

କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ଅନେକ ଘରୋଇ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଗଲାଣି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମଂଚେଶ୍ୱସ୍ଥିତ ଆଦିତ୍ୟ ବିର୍ଲା ଫେସନ୍‌ରୁ ୧୫ଜଣ, ସ୍ୱସ୍ତି ପ୍ରିମିୟମ ହୋଟେଲରୁ ୩୫ଜଣ, ହୋଟେଲ କ୍ରାଉନରୁ ୧୦ଜଣ, ଟେକ୍‌ ମହିନ୍ଦ୍ରାରୁ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ତେଣୁ ଲୋକମାନେ ବାହାରକୁ ବାହାରିଲେ ସଚେତନତା ଅବଲମ୍ବନ କରିବା ସହ ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତକୁ ସାବୁନରେ ବାରମ୍ବାର ଧୁଅନ୍ତୁ। ତେବେ କରୋନା ସଂକ୍ରମଣ ସମ୍ଭାବନା କମ୍‌ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe