କନକ ବ୍ୟୁରୋ : ବଜାର ଉପରେ ପଡିଛି କରୋନା ଭୟର ପ୍ରଭାବ । ରାଜ୍ୟର ବିଭିନ୍ନ ସହରରେ ଖାଁ ଖାଁ ଲାଗୁଛି ମାର୍କେଟ । ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମାର୍ଚ୍ଚ ୩୧ ଯାଏ ଭିଡ ନ ଜମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଏପଟେ କୋଣାର୍କ ମନ୍ଦିର ଜନଶୂନ୍ୟ ହୋଇଥିବାବେଳେ ଝାରସୁଗୁଡା ବିମାନବନ୍ଦରରେ ଚାଲିଛି ଯାତ୍ରୀଙ୍କ ସ୍କ୍ରିନିଂ ।
ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ସମୟ ଗଡୁଛି , ଭୟ ବଢୁଛି । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରରେ । ଆଜି ଖାଁ ଖାଁ ଲାଗୁଥିଲା କୋଣାର୍କ । କରୋନା କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଦେଖାନଥିଲା । ଆଖପାଖରେ ଥିବା ଦୋକାନ ବଜାର ସବୁବେଳେ ଗହଳି ରହୁଥିବା ବେଳେ ଆଜିର ଦୃଶ୍ୟ ବୟାନ କରୁଥିଲା କରୋନାକୁ ନେଇ କିପରି ରହିଛି ସତର୍କତା ।
କରୋନା ସଂକ୍ରମଣର ଭୟରେ ଦୋକାନ ବଜାର ବନ୍ଦ । ବ୍ରହ୍ମପୁର ସହରରେ ମଧ୍ୟ ମଲ୍ ଓ ମାର୍କେଟ୍ କମ୍ପଲେକ୍ସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅନ୍ନପୂର୍ଣା ମାର୍କେଟ୍, ସାଇ କମ୍ପଲେକ୍ସ, ମୟୂରୀ ଟାୱାର ପ୍ରମୁଖ ବନ୍ଦ ରହିଥିବାର ଦୃଶ୍ୟ ବୟାନ କରୁଥିଲା, କରୋନାର ମୁକାବିଲା ପାଇଁ ଏହା ହିଁ ଏକମାତ୍ର ଉପାୟ ।
କରୋନା ପାଇଁ ଗଜପତିରେ କଡା କଟକଣା । ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି ସମସ୍ତ ମଲ୍ । ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଗଜପତି ଜିଲ୍ଲାରେ ମଲ୍ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତିକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଝାରସୁଗୁଡା ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀମାନଙ୍କୁ ଏଠାରେ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଉଛି । କରୋନାର ମୁକାବିଲା ପାଇଁ ଏହି ନିଷ୍ପତି ନିଆଯାଇଛି । ସେପଟେ ଆକ୍ସନମୋଡକୁ ଆସିଛି କୋରାପୁଟ ଜିଲ୍ଲା ପ୍ରାଶାସନ । ଜୟପୁର ସହରରେ ଥିବା ସପିଂ ମଲ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ମଣ୍ଡପକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି । ଯେଉଁମାନେ ଖୋଲା ରଖୁଛନ୍ତି ସେ ସବୁକୁ ଜବରଦସ୍ତ ବନ୍ଦ କରୁଛି ଜିଲ୍ଲା ପ୍ରଶାସନ । ଜରୁରୀକାଳିନ ଅଧିକାରୀ ଓ ପୋଲିସ ବିଭାଗ ସହରରେ ବୁଲି ତଦାରଖ କରୁଛନ୍ତି । ଖୋଲା ଥିବା ମଲଗୁଡିକୁ ବନ୍ଦ କରାଯାଇଛି । ଯେଉଁମାନେ ଆଇନ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଚେତାବନୀ ଦିଆଯାଇଛି ।