କରୋନା କାଳରେ ମୃତଦେହକୁ ମିଳୁନି ସମ୍ମାନ: ସଂକ୍ରମଣ ଭୟରେ ଶବ ପାଖ ମାଡୁ ନାହାନ୍ତି କେହି; କେନ୍ଦୁଝରରେ ଶ୍ମଶାନରେ ଶବଠାରୁ ଅଳ୍ପ ଦୂରରେ ରହି ବାହୁନି କାନ୍ଦୁଛି ମାଆ

ଏପଟେ ଝିଅର ସନ୍ଦେହଜନକ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱର ଏମ୍ସ ସାମ୍ନାରେ ମାଆର ଛାତିଫଟା କାନ୍ଦ

559

କନକ ବ୍ୟୁରୋ: କରୋନା ମହାମାରୀ ମାନବ ସମାଜ ଉପରେ ଏଭଳି ବିପଦ ସୃଷ୍ଟି କରିଛି ଯେ, ସଂକ୍ରମଣ ଭୟରେ ଶବକୁ ମିଳୁନି ୪ କାନ୍ଧ । ଅବଶ୍ୟ କରୋନା ମୃତ୍ୟୁ ପରେ ଅନ୍ତିମ ସଂସ୍କାର, କୋଭିଡ ଗାଇଡଲାଇନ ଅନୁସାରେ ହେଉଛି । କିନ୍ତୁ ମୃତ୍ୟୁ କରୋନା ଜନିତ କି ନୁହେଁ ଜଣାନାହିଁ । ତଥାପି ଭୟରେ ପୁଅକୁ ଶେଷଥର ପାଇଁ ଆଖି ପୁରାଇ ଦେଖିପାରୁନି ମାଆ । ଶ୍ମଶାନରେ ଶବଠାରୁ ଅଳ୍ପ ଦୂରରେ କେବଳ ବାହୁନି କାନ୍ଦୁଛି । ଏପଟେ ଝିଅକୁ ହରାଇ ଭୁବନେଶ୍ୱର ଏମ୍ସ ସାମ୍ନାରେ ରାହା ଧରି କାନ୍ଦୁଛି ଆଉଏକ ମାଆ ।

କରୋନା ମହାମାରୀରୁ କେବେ ମୁକ୍ତି ମଳିବ, ତାହା ଜଣାନାହିଁ । କିନ୍ତୁ କରୋନା ଥିବାଯାଏଁ ବୋଧହୁଏ ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଥିବ । ଯେତେବେଳେ ମୃତଦେହକୁ ମିଳୁନଥିବା ୪ କାନ୍ଧ । ହସ୍ପିଟାଲରୁ ସିଧା ଆମ୍ବୁଲାନ୍ସରେ ବୁହାହୋଇ ଶବ ଶ୍ମଶାନରେ ପହଂଚୁଥିବ । କୋକେଇ ବଦଳରେ ଷ୍ଟ୍ରେଚରରୁ କାଢି ଶବ ତଳେ ଥୁଆ ହେଉଥିବ । କେତେବେଳେ ଗୋଡପଟୁ ତ ପୁଣି କେତେବେଳେ ମୁଣ୍ଡପଟୁ ଶବକୁ କାଢି ତଳେ ରଖୁଥିବେ କେବଳ ସଂପର୍କୀୟ । ସଂକ୍ରମଣ ଭୟରେ ପୁଅର ମୃତଦେହ ପାଖକୁ ଯାଇପାରୁ ନଥିବ ମାଆ । ଶେଷଥର ପାଇଁ ପୁଅକୁ କୁଣ୍ଢାଇ ଧରିବାର ସହାସ ଜୁଟାଇ ପାରୁନଥିବ । ଶବଠୁ କିଛି ଦୂରେ ରହି ବାହୁନି ବାହୁନି କାନ୍ଦୁଥିବ ମାଆ ।

ମହାମାରୀ କରୋନାର ସଂକଟ ଅନ୍ତିମ ଯାତ୍ରାର ଧାରାକୁ ବି ବଦଳାଇ ଦେଇଛି । ଏହି ହୃଦୟବିଦାରକ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ମଦରଙ୍ଗାଯୋଡ଼ି ଗାଁରୁ । ଜଣେ ୨୨ ବର୍ଷିୟ ଯୁବକ କାମ ପାଇଁ ବାଲେଶ୍ୱରରେ ଯାଇ ରହୁଥିଲେ । ଘରେ ଥିବା ବିଧବା ମା’ଙ୍କୁ ଦେଖିବା ପାଇଁ ବେଳେବେଳେ ଘରକୁ ଆସୁଥିଲେ । କିଛି ଦିନ ତଳେ ତାଙ୍କୁ ଅଚାନକ୍ ଜ୍ୱର ହେଲା । ବାଲେଶ୍ୱରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ହସ୍ପିଟାଲ ନିଆଗଲା । ହେଲେ କେନ୍ଦୁଝରରୁ ତାଙ୍କୁ କଟକ ବଡ଼ ମେଡିିକାଲକୁ ନେଇଯିବା ପାଇଁ କୁହାଯାଇଥିଲା । କଟକରେ ତାଙ୍କର କରୋନା ଟେଷ୍ଟ କରାଯିବ କହି ଆଇସୋଲେଓନ୍ ୱାଡରେ ରଖାଯାଇଥିଲା । ହେଲେ ସେହିଦିନ ରାତିରେ ଯୁବକଙ୍କ ମୃତ୍ୟୁ ହୋଇଗଲା । ହେଲେ କରୋନା ଥିଲା ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ଖବର କାହା ପାଖରେ ନଥିଲେ ବି ଯୁବକଙ୍କ ପରିବାର ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଯୁବକଙ୍କ ଭାଇ ବହୁ କଷ୍ଟରେ ଘରୋଇ ଆମ୍ବୁଲାନ୍ସ କରି ଶବକୁ ଗାଁକୁ ସିନା ନେଇ ଆସିଲେ, ହେଲେ ଗାଁରେ ଶବକୁ ପୁରାଇ ଦିଆଗଲା ନାହିଁ । ଫଳରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶଶ୍ମାନକୁ ନିଆଯାଇଥିଲା ଶବ । ଆଉ ଶେଷରେ ଜେସିବି ଲଗାଇ ଗାତ ଖୋଳାଯାଇଥିଲା । ଯେଉଁଥିରେ ହୋଇଥିଲା ଅନ୍ତିମ ସଂସ୍କାର ।

ଭୁବନେଶ୍ୱର ଏମ୍ସ ସାମ୍ନାରେ କାନ୍ଦିକାନ୍ଦି ନିଜ ଝିଅର ମୃତ୍ୟୁ ସଂପର୍କରେ ମାଆ କହୁଥିଲା । ଗୋଡରେ ରକ୍ତ ଜମି ବିନ୍ଧା ଛିଟିକା ହେଉଥିଲା । କ୍ୟାପିଟାଲ ହସ୍ପିଟାଲ ନେବା ପରେ ଏମ୍ସକୁ ପଠାଇ ଦିଆଗଲା । ମହିଳାଙ୍କ ଅଭିଯୋଗ ଅନୁସାରେ ଇଞ୍ଜେକ୍ସନ ଦେଇ ଘରକୁ ପଠାଇ ଦିଆଗଲା । ହେଲେ ବିନ୍ଧା ଆହୁରି ବଢିଯିବରୁ ପୁଣି ହସ୍ପିଟାଲ ଆଣିଥିଲେ । ହେଲେ କେମିତି କେଜାଣି ଝିଅର ମୃତ୍ୟୁ ହୋଇଗଲା । ଭଲ କଥାବାର୍ତା କରୁଥିବା ଝିଅ କମେିତି ମଲା ତାକୁ ସହଜରେ ଗ୍ରହଣ କରିପାରୁନି ମାଆ । କାନ୍ଦି କାନ୍ଦି ହସ୍ପିଟାଲ କର୍ତୃପକ୍ଷଙ୍କ ବିରୋଧରେ ଆଣୁଛି ଅଭିଯୋଗ । ଏ ସଂପର୍କରେ ଏମ୍ସ କର୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି । ତେବେ କୋଭିଡ ନିୟମ ଅନୁସାରେ ମୃତଦେହର ତଦନ୍ତ କରାଯିବ ବୋଲି ଜଣାପଡିଛି ।