କରୋନା ଡାକି ଆଣିଲା କୁମ୍ଭମେଳା । ଧାର୍ମିକ ବୁଡ଼ରେ ସାମିଲ ହୋଇଥିବା ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ ପଜିଟିଭ ଚିହ୍ନଟ ପରେ ବଢ଼ିଲା ଆଶଙ୍କା ।

239

କନକ ବ୍ୟୁରୋ: କରୋନା କାଳରେ କୁମ୍ଭମେଳାରୁ ଆସିଛି ଚିନ୍ତାଜନକ ଖବର । ଯାହା ଅନୁମାନ କରାଯାଉଥିବା , ଠିକ୍ ସେୟା ହିଁ ହୋଇଛି । ହରିଦ୍ୱାର କୁମ୍ଭମେଳାରେ ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଆସିଛନ୍ତି । ସାହି ସ୍ନାନ ସମୟରେ ଏକାଠି ହୋଇ ବୁଡ ପକାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଚିନ୍ତାକରନ୍ତୁ କରୋନା ସଂକ୍ରମିତଙ୍କ ଠାରୁ କୁମ୍ଭମେଳାରେ ଏହି ସଂକ୍ରମଣ କେତେ ଜଣଙ୍କୁ ବ୍ୟାପିପାରେ । ଆକଳନ କରାଯାଉଛି, ଉତର ପ୍ରଦେଶରେ ହରିଦ୍ୱାର ପାଲଟି ଯାଇପାରେ ସଂକ୍ରମଣର ସବୁଠୁ ବଡ ହଟସ୍ପଟ୍ ।

ହରିଦ୍ୱାର କୁମ୍ଭମେଳାରେ ବିଷୁବ ସଂକ୍ରାନ୍ତିରେ ବୁଡ ପକାଇଲେ ପାପ ଧୋଇ ହୋଇଯାଇଥାଏ । ଏହି ବିଶ୍ୱାସକୁ ଆଧାର କରି ଚଳିତ ବର୍ଷ ହରିଦ୍ୱାରରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ହରିଦ୍ୱାର କୁମ୍ଭମେଳାରେ ଭୟ ବଢାଇଛି କରୋନା ସଂକ୍ରମଣ । କାରଣ ଦିନକରେ ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପଟେ ବିଷୁବ ସଂକ୍ରାନ୍ତିରେ ହରିଦ୍ୱାରରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ସାହି ସ୍ନାନ କରିଛନ୍ତି । ସ୍ନାନ ସମୟରେ କୋଭିଡ ନିୟମର ପୁରା ଉଲଂଘନ ଦେଖିବାକୁ ମିଳିଛି । ନା ମୁହଁରେ ଅଛି ମାସ୍କ, ନା କେହି ପାଳନ କରୁଛନ୍ତି ସାମାଜିକ ଦୂରତା ।

ଏ କଥା ଆମେ ଏଥିପାଇଁ କହୁଛୁ, କାରଣ କୁମ୍ଭମେଳାରେ ଚଳିତ ବର୍ଷ ପ୍ରାୟ ଏକ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦିନକରେ ଶହେରୁ ଅଧିକ ଶ୍ରଦ୍ଧାଳୁ ଓ ୨୦ରୁ ଅଧିକ ସାଧୁ କରୋନା ପଜିଟିଭ୍ ଆସିଛନ୍ତି । ଆଗକୁ ସ୍ଥିତି କଣ ହେବ ଏବେଠାରୁ ଆକଳନ କରିବା ମୁସ୍କିଲ ।
ସୂଚନା ଅନୁସାରେ ହରିଦ୍ୱାର ପ୍ରଶାସନ କୁମ୍ଭମେଳାକୁ ଆସିଥିବା ଶ୍ରଦ୍ଧାଳୁଙ୍କର କରୋନା ଟେଷ୍ଟ କରାଇଥିଲେ । ଗୋଟିଏ ଦନରେ ଆସିଥିବା ରିପୋର୍ଟ ଚିନ୍ତାଜନକ ରହିଛି । ଦିନକରେ ୧୦୨ ଜଣ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଜୁନା ଆଖଡାରୁ ୫, ନିରଞ୍ଜନ ଆଖଡାରୁ ୨, ନାଥ ଓ ଅଗ୍ନି ଆଖଡାରୁ ଜଣେ ଲେଖାଏଁ ସାଧୁଙ୍କୁ ମିଶାଇ ୨୦ ଜଣ ସାଧୁ କରୋନା ପଜିଟିଭ୍ ଆସିଛନ୍ତି । ନିରଞ୍ଜନ ଆଖଡାର ମୁଖ୍ୟ ସାଧୁ ନରେନ୍ଦ୍ର ଗିରି ମଧ୍ୟ ପଜିଟିଭ୍ ଆସିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ନରେନ୍ଦ୍ର ଗିରିଙ୍କୁ ରିଶିକେଶ ଏମସରେ ଭର୍ତି କରାଯାଇଛି ।

ହରିଦ୍ୱାର କୁମ୍ଭମେଳାର ଦୃଶ୍ୟକୁ ଦେଖିଲେ ଆପଣ ଜାଣି ପାରିବେ କିପରି ପାଳନ ହୋଇଛି କୋରନା ଗାଇଡଲାଇନସ । ନା ରହିଛି ସାମାଜିକ ଦୂରତା, ନା ସମସ୍ତଙ୍କ ମୁହଁରେ ରହିଛି ମାସ୍କ । କିଛି ଶ୍ରଦ୍ଧାଳୁ ମାସ୍କ ପିନ୍ଧି ଛନ୍ତି ହେଲେ , ଏହାକୁ ଅଧିକାଂଶ ମାସ୍କ ପିନ୍ଧିବା ନିୟମ ମାନିବାକୁ ନାରାଜ କେବଳ ସେତିକି ନୁହଁ, କୁମ୍ଭମେଳାରେ ସାମିଲ ହୋଇଥିବା ୧୩ଟି ଆଖଡାର ଶହ ଶହ ସାଧୁ ଓ ତାଙ୍କର ଅନୁଗାମୀ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜେସନକୁ ମଧ୍ୟ ଅଣଦେଖା କରିଥିବା ଜଣାପଡିଛି । ଏଭଳି ସ୍ଥିତିରେ କୁମ୍ଭମେଳା ପାଲଟିପାରେ କରୋନାର ହଟସ୍ପଟ୍ ।