ମାରାତ୍ମକ ଭାଇରସର ଉତ୍ପତ୍ତି ସ୍ଥଳ ପାଲଟିଛି ଚୀନ୍ । ଆସୁଛି ଗୋଟିଏ ପରେ ଗୋଟିଏ ପ୍ରାଣଘାତୀ ଭାଇରସ, କରୋନା, ହନ୍ତା ପରେ ଏବେ ବ୍ୟୁବୋନିକ ପ୍ଲେଗ ।

1,785

କରୋନା ଭାଇରସ ସହ ପୂରା ବିଶ୍ୱ ଲଢେଇ କରୁଥିବା ବେଳେ ଚୀନରୁ ଆଉ ଏକ ପ୍ରାଣଘାତୀ ଭାଇରସ ସାମ୍ନାକୁ ଆସିଛି । କରୋନା କାୟାରୁ ବିଶ୍ୱବାସୀ ମୁକୁଳିନଥିବା ବେଳେ ମାର୍ଚ୍ଚ ମଝିରେ ସାମ୍ନାକୁ ଆସିଥିଲା ହନ୍ତା ଭାଇରସ । ଆଉ ଏହାର ଦିନ କେଇଟା ଯାଇନି ପୁଣିଥରେ ଚୀନରେ ଏକ ନୂଆ ଭାଇରସ ଜନ୍ମ ନେଇଛି । ଚୀନରୁ ଉତ୍ପତ୍ତି ହେଉଥିବା ଗୋଟିଏ ପରେ ଗୋଟିଏ ଭାଇରସ ବିଶ୍ୱର ଅଧିକାଂଶ ଦେଶର ଏବେ ନିଦ ହଜାଇ ଦେଇଛି । ଖାସକରି କରୋନା ମହାମାରୀ ପାଇଁ ବିଶ୍ୱର ଅଧିକାଂଶ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ଏବେ ଭୁଷୁଡି ପଡିଛି । ସମଗ୍ର ବିଶ୍ୱରେ କୋଟିଏରୁ ଅଧିକ ଲୋକ ଏହି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଏଯାଏଁ କୋଭିଡ-୧୯ର ଔଷଧ ବାହାରି ନଥିବାରୁ ଦିନକୁ ଦିନ ମୃତ୍ୟୁ ହାର ମଧ୍ୟ ବଢି ବଢି ଚାଲିଛି । ଚୀନରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା କୁହାଯାଉଥିବା ବେଳେ ୟୁରୋପୀୟ ଦେଶ ଗୁଡିକୁ ଅଧିକ ପ୍ରଭାବିତ କରିଛି । ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକା, ଋଷ, ବିଟ୍ରେନ ଭଳି ଦେଶ ମଧ୍ୟ କରୋନା ମହାମାରୀରୁ ବର୍ତ୍ତି ପାରିନାହାନ୍ତି । ଏପରିକି କରୋନା ଭାଇରସକୁ ନେଇ ଚୀନ-ଆମେରିକାର ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି । କରୋନା ମହାମାରୀ ପାଇଁ ଆମେରିକା ସମ୍ପୂର୍ଣ୍ଣ ରୂପେ ଚୀନକୁ ଦାୟୀ କରି ଆସୁଛି ।

କରୋନା ମହାମାରୀ ଭିତରେ ଚୀନରୁ ହନ୍ତା ଭାଇରସର ଘଟଣା ସାମ୍ନାକୁ ଆସିଥିଲା । ମୂଷାଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସରେ ସଂକ୍ରମିତ ହୋଇ ଚୀନର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏପରିକି କିଛି ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଇଥିଲା । ଏହି ଭାଇରସରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ସାମ୍ନାକୁ ଆସିନାହିଁ । କୁହାଯାଉଛି, କରୋନା ମହାମାରୀ ଭିତରେ ଚୀନର କମ୍ୟୁନିଷ୍ଟ ସରକାର ଏହି ମାମଲାକୁ ଚପାଇ ଦେଇଛନ୍ତି । ତେବେ ଏହି ଭାଇରସ ମଣିଷ ଶରୀରର ପାକସ୍ଥଳୀକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଏପରିକି ଏହି ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । ହନ୍ତା ଭାଇରସର ବାହକ ମୂଷାଙ୍କ ମଳ,ମୁତ୍ର କିମ୍ବା ଲାଳ ଛୁଇଁ ମୁହଁରେ ହାତ ଲଗାଇଲେ ଏହି ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ ବଢି ଯାଇଥାଏ ।

ଏସବୁ ଭିତରେ ଚୀନରୁ ମାରାତ୍ମକ ବ୍ୟୁବୋନିକ ପ୍ଲେଗର ଘଟଣା ସାମ୍ନାକୁ ଆସିଛି । ଉତ୍ତର ଚୀନରୁ ଜଣେ ବ୍ୟକ୍ତି ଏହି ପ୍ଲେଗରେ ସଂକ୍ରମିତ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଚୀନର ବୟନୁର ସହରରେ ଲେବଲ-୩ ଚେତାବନୀ ଜାରି କରାଯାଇଛି । ବ୍ଲାକ ଡେଥ୍ ରୂପେ ଜଣାଶୁଣା ବ୍ୟୁବୋନିକ ପ୍ଲେଗ ପୂର୍ବରୁ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ସାରିଛି । ପୂରା ବିଶ୍ୱକୁ ଏହି ପ୍ରାଣଘାତୀ ରୋଗ ୩ ଥର ପ୍ରଭାବିତ କରିଛି । ଆଉ ଏବେ ପୁଣିଥରେ ଏହି ରୋଗ ବ୍ୟାପିବାର ବିପଦ ଘନେଇଛି ।  ଏହି ଭୟଙ୍କର ଭୂତାଣୁ ଜଙ୍ଗଲୀ ମୂଷାଙ୍କ ଶରୀରରୁ ବିଭିନ୍ନ ମାଧ୍ୟମ  ଦେଇ ମଣିଷ ଶରୀରକୁ ବ୍ୟାପିଥାଏ । ଏହି ଭୂତାଣୁ ଶରୀରକୁ ବ୍ୟାପିବା ମାତ୍ରେ ରକ୍ତକୋଷ ଓ ଫୁସଫୁସକୁ ପ୍ରଭାବିତ କରିଥାଏ । ଫଳରେ ଶରୀରରେ ଜ୍ୱର ହେବା ସହ ପ୍ରବଳ ଯନ୍ତ୍ରଣା ହୋଇଥାଏ । ୨୦୧୦ରୁ ୨୦୧୫ ମଧ୍ୟରେ ବିଶ୍ୱରେ ପାଖାପାଖି ୩୨୪୮ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୫୮୪ ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୯୯୪ରେ ଭାରତର ୫ ରାଜ୍ୟରେ ମଧ୍ୟ ଏହି ପ୍ରାଣଘାତୀ ରୋଗ ଦେଖିବାକୁ ମିଳିଥିଲା ଯେଉଁଥିରେ ୭୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫୨ ଲୋକଙ୍କର ମୃତ୍ୟୁ ହୋଇଛି ।