ଜୁଲାଇରେ ଉପରକୁ ଉଠି ଚାଲିଛି କରୋନା ଗ୍ରାଫ୍ । ସରକାର କହିଲେ, ବ୍ୟସ୍ତ ହେବାର କାରଣ ନାହିଁ, ଘରେ ଘରେ ଖୋଜା ଚାଲିଛି କରୋନା ।

337

କନକ ବ୍ୟୁରୋ : ଜୁଲାଇରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୬୪ ଜଣ ଆକ୍ରାନ୍ତ । ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଥିବା ବେଳେ ସରକାର କହିଛନ୍ତି , ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି, ତେଣୁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ସଂକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଗତ ୬ ଦିନର ସଂକ୍ରମଣର ଗ୍ରାଫ୍ ବୟାନ କରୁଛି ଯେ, ଓଡିଶାରେ କରୋନା ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଗୁରୁବାର ଏହି ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ୧୨୬୪ରେ ପହଁଚିଛି । ଏହାର ସିଧା ବାର୍ତା ହେଉଛି ସମସ୍ତଙ୍କୁ ସତର୍କ ରହିବାକୁ ହେବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ଏହି ସଂଖ୍ୟା ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ । ସଂଖ୍ୟା ବଢିବାର କାରଣ ହେଉଛି, ସରକାର ଘରେ ଘରେ କରୋନାକୁ ଖୋଜୁଛନ୍ତି ।

୧୧ହଜାର ୧୦ ନମୁନା ପରୀକ୍ଷା । ୧ ହଜାର ୨୬୪ ପଜିଟିଭ୍ । ସରକାର କହୁଛନ୍ତି ପରୀକ୍ଷା ବଢାଇବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ତେଣୁ ଅଗଷ୍ଟ ୩୧ ତାରିଖ ଯାଏଁ ଏକ ହିସାବ କରାଯାଇଛି ଏବଂ ଏହି ହିସାବ ଅନୁସାରେ ଆବଶ୍ୟକ ପ୍ରସ୍ତୁତି ସରକାର କରିସାରିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସେପଟେ କେତେ ସଂଖ୍ୟାରେ ଲୋକଙ୍କୁ ପରୀକ୍ଷା ପାଇଁ ଟାର୍ଗେଟ ନିଆଯିବ ସେ ବିଷୟରେ ସ୍ପଷ୍ଟ କରି ସରକାର କହୁଛନ୍ତି, ଏବେ ଆଉ ଟାର୍ଗେଟ କିଛି ନାହିଁ । ଯେତେଜଣଙ୍କ ଠାରେ ଲକ୍ଷଣ ଦେଖାଯିବ, ସେମାନଙ୍କୁ ପରୀକ୍ଷା କରାଯିବ ।

ସରକାର ଓଡିଶା ବାସୀଙ୍କୁ ଆଶ୍ୱସ୍ତ କରିବା ପାଇଁ ଚାହୁଁଛନ୍ତି ଯେ, ସଂକ୍ରମଣ ବଢିଲେ ମଧ୍ୟ ଚିନ୍ତା କରିବାର କିଛି ନାହିଁ । କିନ୍ତୁ, ସବୁଠାରୁ ବଡ କଥା ହେଉଛି ସରକାରୀ ସ୍ତରରେ ପ୍ରସ୍ତୁତି କେମିତି ରହିଛି । ଯଦି ପ୍ରକୃତରେ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀକୁ ଠିକ୍ ଭାବେ ଚିକିତ୍ସା ମିଳିଯାଏ ତେବେ କୁହାଯିବ ସରକାରୀ ପ୍ରସ୍ତୁତି ଠିକ୍ ଅଛି ।

ବର୍ତ୍ତମାନ ଯାଏ ରାଜ୍ୟରେ ୧୧୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି । ଆଉ ସଂକ୍ରମଣ ୨୧ ହଜାର ଟପିଯାଇଛି । ଏପଟେ ଲକଡାଉନ୍-ସଟଡାଉନ୍ ଯୋଗୁଁ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଲୋକଙ୍କ ରୋଜଗାର ବି ବନ୍ଦ ହୋଇଗଲାଣି । ଗୋଟିଏ ପଟେ ସଂକ୍ରମଣକୁ ମୁକାବିଲା କରିବାର ଚ୍ୟାଲେଂଜ୍ ଆଉ ଗୋଟିଏ ପଟେ ପେଟ ପାଟଣାର ଆହୁରି ବଡ ଚ୍ୟାଲେଞ୍ଜ । ତେଣୁ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନନେଲେ ସ୍ଥିତି ଆହୁରି ବିଗିଡିଯିବ ।