କରୋନା ଭୟ ଭିତରେ ଆସିଲା ଆଶ୍ୱସ୍ତି ଦେବା ଭଳି ଖବର । ଏକମାସର ହିସାବ କହୁଛି, ତଳକୁ ଖସୁଛି କରୋନା ମିଟର, ସେପ୍ଟେମ୍ବର ଶେଷ ସପ୍ତାହରୁ ତଳମୁହାଁ ହୋଇଛି କରୋନା ।

246

କନକ ବ୍ୟୁରୋ : ଦୀର୍ଘ ୭ ମାସ ହେଲାଣି କରୋନା ମହାମାରୀର ଭୟ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏବେ କରୋନା ସଂକ୍ରମଣ ଧାରାରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ମନେ ହେଉଛି ସତେ ଯେମିତି କରୋନା ବିପଦ ଧିରେ ଧିରେ ଟଳିଯିବ । ଗତ ଏକମାସର କରୋନା ସଂକ୍ରମଣର ହିସାବ କିଛି ଏଭଳି ସଂକେତ ଦେଉଛି । ଯଦି ଏହି ଧାରା ବଳବତର ରହେ, ତେବେ ଆଗକୁ ସବୁକିଛି ଠିକ୍ ହୋଇଯାଇପାରେ ।

ଗତ ଏକ ମାସର ସଂକ୍ରମଣର ଗ୍ରାଫ କହୁଛି, ୧୧ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ଯାଏଁ ପ୍ରତିଦିନ ହାରାହାରି ୪ ହଜାର ୧୪୨ ଜଣ ଆକ୍ରାନ୍ତ ହେଉଥିଲେ । ସେହିପରି ୨୨ ସେପ୍ଟେମ୍ବରରୁ ୨ ଅକ୍ଟୋବର ଯାଏଁ ଦୈ÷ନିକ ହାରାହାରି ୩ ହଜାର ୮୦୨ ଜଣ ଆକ୍ରାନ୍ତ ହେଉଥିଲେ । ୩ ଅକ୍ଟୋବରରୁ ୧୧ ଅକ୍ଟୋବର ଯାଏଁ ଏହି ସଂଖ୍ୟା ୨ ହଜାର ୮୩୩ ରହିଛି । କରୋନାର ଏହି ଖବର, ଟିକିଏ ଆଶ୍ୱସ୍ତି ଆଣିଲା ଭଳି ଖବର । କାରଣ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆଗକୁ ଏହି ସଂଖ୍ୟା କମିବ ନା ପୁଣି ବଢିବାର ଆଶଙ୍କା ରହିଛି?

ଜୁଲାଇ ୧ରୁ ଅକ୍ଟୋବର ୭ ଯାଏଁ କରୋନା ଆକ୍ରାନ୍ତ ସଂଖ୍ୟାର ଗ୍ରାଫ କହୁଛି, ଧିରେ ଧିରେ ଗଂଜାମରେ ସଂଖ୍ୟା କମିଛି । ଖୋର୍ଦ୍ଧା ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟାର ଗ୍ରାଫ ଦର୍ଶାଉଛି ଅଗଷ୍ଟ ଆରମ୍ଭରୁ ଏଠାରେ ସଂଖ୍ୟା ବଢି ବଢି ଏଯାଏଁ ବିଶେଷ କମି ନାହିଁ, କିନ୍ତୁ ଗତ ସପ୍ତାହକ ମଧ୍ୟରେ ଏହି ସଂଖ୍ୟା କମୁଥିବାର ଲକ୍ଷ୍ୟ କରାଯାଉଛି । ସେହିଭଳି କଟକ ଜିଲ୍ଲାରେ ମଧ୍ୟ କରୋନା ଧିରେ ଧିରେ କମୁଥିବା ନେଇ ସଂକେତ ଦେଉଛି ଗ୍ରାଫ୍ । ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ସେପ୍ଟେମ୍ବର ୨୫ ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

ସରକାର ଦେଉଥିବା ତଥ୍ୟ କହୁଛି, ଓଡିଶାରେ ଧିରେ ଧିରେ କରୋନାର ସଂକ୍ରମଣ କମିବାରେ ଲାଗିଛି । ଯଦି ଏସବୁ ତଥ୍ୟ ସଂପୂର୍ଣ୍ଣ ଠିକ୍, ତେବେ ଏକ ବଡ ବିପଦ ଧିରେ ଧିରେ ଟଳିଯାଉଛି କହିଲେ ଭୁଲ୍ ହେବ ନାହିଁ । କିନ୍ତୁ ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ସତର୍କତା ମୂଳକ ପଦକ୍ଷେପ ନେବା ନିହାତି ଆବଶ୍ୟକ ।

Comments are closed.