କନକ ବ୍ୟୁରୋ : ଯେଉଁଠି ଗାଁ ଲୋକ ସଚେତନ ଏବଂ ସେମାନଙ୍କ ମଧ୍ୟରେ ଏକତା ରହିଛି, ସେଠି କରୋନା ପ୍ରବେଶ କରିବାକୁ ସୁଯୋଗ ପାଇନି। ଅନ୍ୟଭାବେ କହିଲେ, ଗାଁର କେହି ଜଣେ ବି କରୋନାରେ ସଂକ୍ରମିତ ହୋଇନାହାନ୍ତି। ସେହିଭଳି ଏକ ଗାଁ ହେଉଛି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ କୋଦଳା ଥାନା ଅଧୀନ ଦାନପୁର ପଞ୍ଚାୟତର ‘କରଞ୍ଜରା’। ଠିକ୍ ସମୟରେ ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବାରୁ ପ୍ରଥମ ଲହର ପରେ ଦ୍ୱିତୀୟ ଲହରରେ ବି ଗ୍ରାମବାସୀ ଏଯାଏ ସଂକ୍ରମିତ ହୋଇନାହାନ୍ତି।
ପ୍ରଥମ ଲହରରେ କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିବାବେଳେ ଏହି ଗ୍ରାମ କିନ୍ତୁ ବର୍ତ୍ତିଯାଇଥିଲା। ଆଉ ଦ୍ୱିତୀୟ ଲହରରେ ବି ସମାନ ସ୍ଥିତି। ଗ୍ରାମବାସୀଙ୍କ ଏକତା, ସଚେତନତା ସାଙ୍ଗକୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ସରପଞ୍ଚଙ୍କ ସହଯୋଗ ଯୋଗୁଁ ଏବେ ସୁଦ୍ଧା ଗ୍ରାମକୁ କରୋନା ମାଡ଼ିପାରିନି। ଗ୍ରାମରେ ପାଖାପାଖି ୧୨ ଶହ ଲୋକ ବସବାସ କରୁଥିବାବେଳେ ଅଧିକାଂଶ ଦିନମଜୁରିଆ ଓ ମତ୍ସ୍ୟଜୀବୀ। ହେଲେ ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ ସଚେତନ ନାଗରିକ। ସରକାର ଯେଉଁ ସମୟରେ ଯାହା ନିର୍ଦ୍ଦେଶାବଳୀ ଜାରି କରନ୍ତି, ତାକୁ ଏହି ଗ୍ରାମବାସୀମାନେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। କରୋନା ମୁକାବିଲାରେ ନିଜକୁ ବି ସାମିଲ୍ କରନ୍ତି। ଏଥିପାଇଁ ଗ୍ରାମକୁ ଆସୁଥିବା ପ୍ରବାସୀଙ୍କ ପାଇଁ ହୋମ୍ ଆଇସୋଲେସନ୍କୁ ବାଧ୍ୟତାମୂଳକ କରାଯାଇଛି। ଗାଁକୁ କୌଣସି ପ୍ରବାସୀ ଆସିଲେ ସଂଗେ ସଂଗେ ସରପଞ୍ଚଙ୍କୁ ଅବଗତ କରାଯାଉଛି।
ସବୁଠୁ ଉଲ୍ଲେଖନୀୟ କଥା ହେଲା, ଅଙ୍ଗନବାଡ଼ି କର୍ମୀ, ଆଶାଦିଦି ଓ ଏଏନଏମ୍ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଉଚିତ ସହଯୋଗ କରୁଛନ୍ତି। ସାମାଜିକ ଦୂରତା ନିୟମ ପାଳନ ଓ ବାହାରକୁ ବାହାରିବା କ୍ଷଣି ମାସ୍କ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଗ୍ରାମକୁ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଆସିଥିବା ବେଳେ ଗ୍ରାମବାସୀଙ୍କ ଏକତା ଓ ସଚେତନତା ଦେଖି ପ୍ରଶଂସା କରିବା ସହ ଏହା ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଥିଲେ। ଯେକୌଣସି ଲହରକୁ ସାମ୍ନା କରିବାକୁ ଗ୍ରାମବାସୀ ପ୍ରସ୍ତୁତ ବୋଲି ଦାନପୁର ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/village-ganjam.jpg)