ଏଣିକି ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଲାଗିବ ଫର୍ମ: ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

2,511

କନକ ବ୍ୟୁରୋ: ଏଣିକି ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଧାରିତ ଫର୍ମ ପୂରଣ କରାଯାଇ ଲଗାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାସହ ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ଯେପରି ଗୃହ ସଙ୍ଗରୋଧ/ପୃଥକବାସରେ ରହିବେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ପାଇଁ ନିଯୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଗତକାଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା(କୋଭିଡ୍-୧୯) ମହାମାରୀ ରୂପ ନେବା ପୂର୍ବରୁ ଏହାକୁ ରୋକିବାକୁ ହେବ। ଏଥିପାଇଁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଅଳ୍ପ ସମୟ ଭିତରେ ଡାକ୍ତରଖାନା ବାହାରେ ଅଧିକ ସାଧନ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଲକ୍-ଡାଉନ୍ ସମୟରେ ଯେପରି ମାଲବାହୀ ଯାନବାହନ ଯାତାୟାତ କରିପାରିବ, ତାହାକୁ ରାଜ୍ୟ ସରକାର ନିଶ୍ଚିତ କରିବାକୁ ଚାହୁଛନ୍ତି। ଅତି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ କୁହାଯାଉଛି। କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସଂପୃକ୍ତ ବିଭାଗର ଶାସନ ସଚିବ ନିର୍ଧାରଣ କରିବେ।

ସେହିପରି ଆଂଶିକ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ, ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ ନ ଥିବା ବିଭାଗର ଅଧିକାରୀ ଓ କର୍ମଚାରୀ ସବୁବେଳେ ଫୋନ୍ ଯୋଗାଯୋଗରେ ରହିବେ ଓ ଆବଶ୍ୟକ ପଡ଼ିଲେ ସଙ୍ଗେସଙ୍ଗେ କାର୍ଯ୍ୟାଳୟକୁ ଆସିବେ। ମହାମାରୀ ଆଇନ(୧୮୯୭) ଧାରା ୨ ଅନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଅଣ ଅତ୍ୟାବଶ୍ୟକ କେନ୍ଦ୍ର, ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଆଦି ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସଂପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ କର୍ମଚାରୀଙ୍କ ନାମ ଉଲ୍ଲେଖ କରିବା ସହ ନିର୍ଧାରିତ ଫର୍ମାଟରେ ସେମାନଙ୍କୁ ଯାତାୟାତ ପାଇଁ ଅନୁମତି ପ୍ରଦାନ କରିବେ। ଗାଡ଼ି ପାସ୍ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ମଧ୍ୟ କାର୍ଯ୍ୟାଳୟ ମୁଖ୍ୟ ସ୍ଥାନୀୟ ଥାନାକୁ ଜଣାଇବାକୁ କୁହାଯାଇଛି ।