ରାଉରକେଲାର ସୁପରସ୍ପ୍ରେଡର ବଢାଇଲେ ଚିନ୍ତା । ଜଣେ କରୋନା ଆକ୍ରାନ୍ତଙ୍କ ଠାରୁ ସଂକ୍ରମିତ ହେଲେ ୯୦ଜଣ

1,098

କନକ ବ୍ୟୁରୋ : ସୁନ୍ଦରଗଡର ସୁପରସ୍ପ୍ରେଡର । ୯୦ ଜଣଙ୍କୁ ଆକ୍ରାନ୍ତ କରିଛନ୍ତି ଜଣେ କରୋନା ଆକ୍ରାନ୍ତ । ରାଉରକେଲାରୁ ଆସିଛି ଏଭଳି ଚମକାଇ ଦେଲାଭଳି ଖବର । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ରାଉରକେଲାର ୯୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସୁପର ସ୍ପ୍ରେଡରଙ୍କୁ ନେଇ ସାରା ସହରରେ ଚହଳ ସୃଷ୍ଟି ହୋଇଛି ।

ରାଉରକେଲାର ୧୬ ନମ୍ବର ସେକ୍ଟରରେ ଏମିତି ଅଟୋ ଚଳାଇ ସାରା ସହର ବୁଲି ଅଟୋ ଚଳାଉଥିବା ବ୍ୟକ୍ତି ଜଣକ ଜାଣିନଥିଲେ ଯେ ଅଟୋରେ ବସାଇ ସେ କରୋନା ବାଂଟୁଛନ୍ତି । ଝାଡଖଣ୍ଡରୁ ଫେରିବାର କିଛି ଦିନ ପରେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ଇଏସଆଇ ହସ୍ପିଟାଲ ଓ ପରେ ତାଙ୍କ ଆଇଜିଏଚରେ ଭର୍ତି କରାଗଲା । ସ୍ୱାବ୍ ବି ପଠାଗଲା, ଆଉ ପଜିଟିଭ୍ ଚିହ୍ନଟ ହେଲେ ଅଟୋ ଡ୍ରାଇଭର ଜଣଙ୍କ । କିନ୍ତୁ ଉଚ୍ଚ ଡାଇବେଟିସ୍ ରୋଗରେ ପୀଡିତ ଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା ।

ସେ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ପରୀକ୍ଷା ପାଇଁ ଯାଇଥିବା ୧୯୭ ନମୁନା ମଧ୍ୟରୁ ୧୦୫ ପଜିଟିଭ୍ ଆସିଛି । ଆଉ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଏହାକୁ ରୋକିବା ପାଇଁ ସେକ୍ଟର-୧୬ ନମ୍ବରରେ କଂଟେନମେଂଟ କଟକଣା ବଳବତର ରହିଥିବା ବେଳେ ବାସନ୍ତୀ କଲୋନୀ ଓ ଗୋଲଘର ଅଂଚଳକୁ କଂଟେନମେଂଟ ଅଂଚଳ ଘୋଷଣା କରିଛି ରାଉରକେଲା ପ୍ରଶାସନ ।