ସନ୍ଦେହ ପାଇଁ ଶବକୁ ବି ମିଳିଲାନି ସମ୍ମାନ । ମେଡିକାଲରୁ ମଶାଣି ଆଣିବାକୁ ସିଧାସିଧା ମନାକଲେ, ଦାହ ସଂସ୍କାର କଲେ ବାସନ୍ଦ କରିବାକୁ ଧମକ ଦେଲେ ଗାଁ ଲୋକେ… ସୋରରୁ ଆସିଲା କରୋନା ସଂକ୍ରମଣ ସନ୍ଦେହର ସାଙ୍ଘାତିକ କାହାଣୀ

ସୁନୀତା ଶ୍ମଶାନକୁ ଯିବେ ତ ସ୍ୱାମୀ ଗାଁରୁ ବାସନ୍ଦ ହେବେ ଆଉ ଯିଏ ତାଙ୍କୁ ସହଯୋଗ କରିବେ ତାଙ୍କୁ ଏକ ଘରିକିଆ କରାଯିବ । କରୋନା ସଂକ୍ରମଣ ସନ୍ଦେହରେ ସୁନୀତାଙ୍କ ପାଇଁ ଶ୍ମଶାନ ଆଗରେ ଲକ୍ଷ୍ମଣରେଖା ଟଣା ହେବାପରେ ମହେନ୍ଦ୍ରଙ୍କ ଉପରେ ମାଡିବସିଥିଲା ମାନବିକତା ବିହୀନ ମଣିଷମାନଙ୍କର ସନ୍ଦେହୀ ରୂପକ ଭୂତ ।

891

କନକ ବ୍ୟୁରୋ: ମଶାଣିରେ ମାଆ, ମାଆ ଛେଉଣ୍ଡ ଛୁଆ । ରକ୍ତପିଣ୍ଡୁଳାକୁ ଜୀବନ୍ୟାସ ଦେଇ ଶେଯ ଉପରେ ଏବେ ଏବେ ଶୁଆଇଦେଇ ସବୁ ଦିନ ପାଇଁ ନିଜେ ଶୋଇଯାଇଛି ମାଆ । ପୁଅ ଆଖିଫିଟେଇବା ଆଗରୁ ମମତାର ଶେଷ ସ୍ପର୍ଶ ଦେଇ ମଶାଣିକୁ ମେଲାଣି ନେଇଛି ମାଆ । ପୁଅ ବୁଝିବା ଆଗରୁ, ପୁଅ କାନ୍ଦିବା ଆଗରୁ ମମତା-ମାଶାଣି ଭିତରେ ବଢିଯାଇଛି ମାଇଲ ମାଇଲ ଦୂରତା । ଲକଡାଉନର ଲୁହଭିଜା କାହାଣୀ ଭିତରେ ଇଏ ଏମିତି ଏକ କାହାଣୀ ଯାହା ସନ୍ଦେହ ଓ ମଣିଷପଣିଆ ମଝିରେ ଛିଡା କରିଛି ଏକ ବିରାଟ ପ୍ରଶ୍ନବାଚୀ ?

ସୁନୀତା ବାସ୍କେ । ଜୀବନକୁ ଜନ୍ମ ଦେଇ ଜୀବନସାରା ଖୁସିରେ ରହିବାକୁ ଆଶା ନେଇ ମେଡିକାଲ ଆସିଥିବା ଜଣେ ମାଆ । ହେଲେ ପେଟର ପିଲାକୁ ନେଇ ମାଆ ଦେଖିଥିବା ସବୁ ସ୍ୱପ୍ନ ଭାଗ୍ୟର ଲେଖନି ଆଗରେ ଲିଭିଯାଇଥିଲା । ମମତାକୁ ଛାଡି ମାଟି ଉପରେ ଶୋଇଥିବା ଏ ମୃତଦେହଟି ଉଦଳା ଟ୍ରେଜେରୀ ଅଫିସର ସୁନୀତା ବାସ୍କେଙ୍କର । ସୋରରେ ସ୍ୱାମୀଙ୍କ ପାଖରେ ରହୁଥିବା ବେଳେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଘରୋଇ ନର୍ସିଂ ହୋମ ଭର୍ତ୍ତି କରାଯାଇଥିଲା । ହେଲେ ସମୟ ଆଗରେ ସମର୍ପି ଯାଇଥିଲା ସୁନୀତାଙ୍କ ଆୟୁଷ । ଆଉ ସେ ଆଖିବୁଜିବା ପରେ ବେସାହାରା ହୋଇଥିଲା ପୁଅ, ଅସହାୟ ହୋଇଥିଲେ ସ୍ୱାମୀ ।

ତେବେ ସେତିକିରେ ସରିନଥିଲା ସୁନୀତାଙ୍କ ସ୍ୱାମୀ ମହେନ୍ଦ୍ର ହେମ୍ବ୍ରମଙ୍କ ଦୁଃଖ । ସ୍ତ୍ରୀ ପରପାରିକୁ ଯିବା ପରେ ପ୍ରିୟଜନଙ୍କୁ ଫୋନ କରିଥିଲେ ମହେନ୍ଦ୍ର । ରାଇରଙ୍ଗପୁର ବିଜାତଳା ବ୍ଲକ ଏକତାଳି ଗାଁରେ ନିଜ ସ୍ତ୍ରୀଙ୍କ ଦାହ ସଂସ୍କାର ପାଇଁ ଗାଁ ଲୋକଙ୍କୁ ଖବର ଦେଇଥିଲେ ମହେନ୍ଦ୍ର । ହେଲେ ଫୋନ ପାଇବା ପରେ ସିଧାସିଧା ମନା କରିଦେଇଥିଲେ ଗାଁର ମୁଖିଆମାନେ । ସୁନୀତା ଶ୍ମଶାନକୁ ଯିବେ ତ ସ୍ୱାମୀ ଗାଁରୁ ବାସନ୍ଦ ହେବେ ଆଉ ଯିଏ ତାଙ୍କୁ ସହଯୋଗ କରିବେ ତାଙ୍କୁ ଏକ ଘରିକିଆ କରାଯିବ । କରୋନା ସଂକ୍ରମଣ ସନ୍ଦେହରେ ସୁନୀତାଙ୍କ ପାଇଁ ଶ୍ମଶାନ ଆଗରେ ଲକ୍ଷ୍ମଣରେଖା ଟଣା ହେବାପରେ ମହେନ୍ଦ୍ରଙ୍କ ଉପରେ ମାଡିବସିଥିଲା ମାନବିକତା ବିହୀନ ମଣିଷମାନଙ୍କର ସନ୍ଦେହୀ ରୂପକ ଭୂତ ।

ସେପଟେ ମହେନ୍ଦ୍ରଙ୍କ ଅସହାୟତା ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ସୋର ଓକିଲ ସଂଘର କର୍ମକର୍ତ୍ତା । ବିଳମ୍ବିତ ରାତିରେ ସୋର ଶ୍ମଶାନରେ ସୁନୀତାଙ୍କ ଅନ୍ତିମ ସଂସ୍କାର କରିଥିଲେ ଓକିଲମାନେ । ତେବେ ମଶାଣୀରେ ଜଳୁଥିବା ମାଆର ମୃତଦେହକୁ ଆଖି ଫିଟିନଥିବା ପୁଅ ସିନା ଦେଖି ପାରୁନି ହେଲେ ଯେବେ ଆଖି ଖୋଲି ମାଆକୁ ଖୋଜିବ, ପାଟି ଫିଟେଇ ବାପାଙ୍କୁ ମାଆ ମୃତ୍ୟୁ ପରର କାହାଣୀ ପଚାରିବ । ସେତେବେଳେ କି ଉତ୍ତର ଦେବେ ମହେନ୍ଦ୍ର ?