source : google
କନକ ବ୍ୟୁରୋ : କାରାଗାର ବିଭାଗକୁ କରୋନା ଭୟ ମାଡ଼ି ବସିଲାଣି। ଏବେ ସୁଦ୍ଧା ରାଜ୍ୟରେ ୪୩ ବିଚାରାଧୀନ କଏଦୀ ଓ ୱାର୍ଡର ସଂକ୍ରମିତ ହୋଇସାରିଲେଣି। ସଂକ୍ରମଣ ତାଲିକାରେ ବ୍ରହ୍ମପୁର ସର୍କଲ ଜେଲ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୌଦ୍ୱାର ଜେଲ୍ ରହିଛି ଦ୍ୱିତୀୟରେ । ବ୍ରହ୍ମପୁର ଜେଲ୍ରେ ୧୭ ଜଣ ଓ ଚୌଦ୍ୱାର ଜେଲ୍ରେ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ଗଲା ଦୁଇ ମାସ ଭିତରେ ଏହି ଦୁଇ ଜେଲ୍କୁ ମିଶାଇ ପୁରୀ, ରାଉରକେଲା ଜେଲ୍ ବି ସଂକ୍ରମିତ ହୋଇସାରିଲାଣି। ଏଭଳି ସ୍ଥିତିରେ ଏବେ ରାଜ୍ୟର ବିଭିନ୍ନ ଜେଲ୍ରେ ରହୁଥିବା ପାଖାପାଖି ୧୭ ହଜାର କଏଦୀଙ୍କର ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୮୫ଟି ଜେଲ୍ରେ ୧୯ ହଜାର ୧୬ ଜଣ କଏଦୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୧୬ ହଜାର ୯୩୧ ପାଖାପାଖି କଏଦୀ ରହୁଛନ୍ତି। ସଂକ୍ରମଣ ଭୟରେ ଅନେକ କଏଦୀଙ୍କୁ ଜାମିନରେ ଖଲାସ ବି କରିଦିଆଯାଇଛି। କରୋନା ସଂକ୍ରମଣ ପରେ ପ୍ରତ୍ୟେକ ଜେଲ୍ରେ ପାଖାପାଖି ୧୦୦ ବେଡ୍ର ସଂଗରୋଧ ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁ କଏଦୀ କରୋନା ସମୟରେ ବିଭିନ୍ନ ଅପରାଧୀକ ମାମଲାରେ ଗିରଫ ହେଉଛନ୍ତି, ସେମାନଙ୍କୁ ସିଧାସଳଖ ୱାର୍ଡରେ ରଖା ନଯାଇ ସଂଗରୋଧରେ ରଖାଯାଉଛି। ତଥାପି ଜେଲ୍ରେ ସଂକ୍ରମଣ ବଢ଼ିବା ଘଟଣା ସ୍କ୍ରିନିଂ ବ୍ୟବସ୍ଥାକୁ ସନ୍ଦେହରେ ପକାଇଲାଣି। ରାଜ୍ୟରେ ମେ ୧୭ ତାରିଖରେ କାରାଗାର ବିଭାଗକୁ ପ୍ରଥମ କରୋନା ଛୁଇଁଥିଲା। ପୁରୀ ଜେଲ୍ରେ ଜଣେ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୫ ତାରିଖରେ ଏକ ଡକାୟତି ମାମଲାରେ କୁମ୍ଭାରପଡ଼ା ଥାନା ପୁଲିସ ଗିରଫ କରି ଜେଲ୍ ପଠାଇଥିଲା।
କୁମ୍ଭାରପଡ଼ା ଥାନା ଆଇଆଇସି ସମେତ ୩୦ ଜଣ ସଂଗରୋଧରେ ରହିଥିଲେ। ଜୁନ ୬ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ରେ ଦୁଇ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଥିଲେ। ମେ ୨୬ ତାରିଖରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜୁନ ୩ ତାରିଖରେ ଗିରଫ ପରେ ଜେଲ୍ରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜୁନ ୭ ତାରିଖରେ ୬ ଜଣ ବିଚାରାଧୀନ କଏଦୀ ରାଉରକେଲା ସ୍ୱତନ୍ତ୍ର ଜେଲ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ନାଲାରୋଡ ନିକଟରେ ଥିବା କଣ୍ଟେନମେଣ୍ଟ ଜୋନରେ ଗଣ୍ଡଗୋଳ ଅଭିଯୋଗରେ ପୁଲିସ ୩୦ ଜଣଙ୍କୁ ମେ ୨୬ ତାରିଖରେ ଗିରଫ କରି ଜେଲ୍ ପଠାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଏଦୀ କରୋନା ପଜିଟିଭ ଚିହ୍ନଟ ପରେ ୯ ତାରିଖରେ ଜେଲ୍ର ୫୦୦ କଏଦୀଙ୍କ ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିଲେ।
ସେହିପରି ଜୁନ ୯ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଗିରଫ ହୋଇଥିବା ଅଭିଯୁକ୍ତକୁ ପୁରୀ ଜେଲ୍ ପଠାଇ ଦିଆଯାଇଥିଲା। ୧୩ ତାରିଖରେ ପୁରୀ ଜେଲ୍ରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜୁନ ୧୧ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ରେ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଜୁନ ୧୬ ତାରିଖରେ ଦୁଇ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୁଇ ଦୁର୍ବୃତ୍ତ କଣାସ ଏବଂ ଗଡ଼ିସଗଡ଼ ଥାନା ଅଞ୍ଚଳରୁ ଗିରଫ ହୋଇଥିଲେ। ଜୁଲାଇ ୫ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ରେ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜୁଲାଇ ୬ ତାରିଖରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାଧୀନ କଏଦୀଙ୍କ ଏସକର୍ଟରେ ଥିବା ଦୁଇ ଚୌଦ୍ୱାର ଜେଲ୍ ଓ୍ବାର୍ଡର ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚୌଦ୍ୱାର ଜେଲ୍ରେ ପ୍ରଥମ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୩ ଦିନ ପରେ ୯ ତାରିଖରେ ଚୌଦ୍ୱାର ସର୍କଲ ଜେଲ୍ରେ ୮ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
Follow Us