ଟୋକିଓ ଅଲିମ୍ପିକ୍ସ ଉପରେ କରୋନା ଆତଙ୍କ । ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ ଆକ୍ରାନ୍ତ 

160

କନକ ବ୍ୟୁରୋ: ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ-୨୦୨୦ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।

ଟୋକିଓ ଅଲିମ୍ପିକ୍ସ-୨୦୨୦ ଆରମ୍ଭ ହେବା ପୂର୍ବରୁ ଏଠାରେ ଦେଖିବାକୁ ମିଳିଲାଣି କରୋନାର ଆତଙ୍କ । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ସେମାନେ ଋଷର ଖେଳାଳୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଜଣା ପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ବି ଟିମ୍ ଏବଂ ଜୁଡୋ ଖେଳାଳୀଙ୍କ ମଧ୍ୟରେ କିଛି ଖେଳାଳୀ ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଅଲିମ୍ପିକ୍ସ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ଖେଳାଳୀଙ୍କ ମଧ୍ୟରେ ସଂକ୍ରମଣ ସେତିକି ବଢି ବଢି ଚାଲିଛି । ଆଉ ଆଗକୁ ଆହୁରି ବି ଖେଳାଳୀ ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସେପଟେ ଟୋକିଓରେ କୋଭିଡ୍ -୧୯ ପାଇଁ ଏମରଜେନ୍ସି ଲାଗୁ ହୋଇଥିଲେ ବି, ଏଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଟୋକିଓରେ ୧,୩୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୬ ମାସ ମଧ୍ୟରେ ସବୁଠାରୁ ଅଧିକ । ଅଲିମ୍ପିକ୍ସକୁ ନଜରରେ ରଖି ଟୋକିଓରେ ଅନେକ କଟକଣା ଲାଗୁ ହୋଇଛି । ରେସ୍ତୁରାଁ ଓ ବାର ଶୀଘ୍ର ବନ୍ଦ କରିବାକୁ ଟୋକିଓ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଅଲିମ୍ପିକ୍ସ ପାଇଁ ଜୁଲାଇ ମାସ ଆରମ୍ଭରୁ ହିଁ ଟୋକିଓରେ ଖେଳାଳୀମାନେ ପହଁଚିବା ଆରମ୍ଭ କରି ଦେଲେଣି । ଏହାସହ ଟୋକିଓରେ କରୋନା ଆତଙ୍କର ଆଶଙ୍କା ମଧ୍ୟ ବଢି ଯାଇଛି । ଆଗକୁ ଟୋକିଓ କୋଭିଡ୍-୧୯ର ସୁପର ସ୍ପ୍ରେଡର ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଜାପାନରେ ଜୁନ ମାସରୁ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ କହିବା କଥା ଏହି ସଂଖ୍ୟା ଅଲିମ୍ପିକ୍ସ ବେଳେ ଦୈନିକ ହଜାର ହଜାର ହେବାର ସମ୍ଭାବନା ରହିଛି । ଜାପାନରେ ବର୍ତମାନ ସୁଦ୍ଧା ୮ଲକ୍ଷ୨୮ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୧୫ ହଜାର ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି ।