କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର । ବନ୍ଦ ହେଲା ସ୍କୁଲ, ଘୁଞ୍ଚିଲା ପରୀକ୍ଷା । ବସ ଯାତ୍ରା ଉପରେ ବି ଲାଗିଲା କଟକଣା । ଟ୍ୱିନ ସିଟିରେ ସପିଂ ମଲ ବନ୍ଦ ହେଲେ ଖୋଲା ରହିବ ଅତ୍ୟାବଶ୍ୟକ ଦୋକାନ

1,353

କନକ ବ୍ୟୁରୋ: ବିଦ୍ୟାଳୟ ବନ୍ଦ, ପରୀକ୍ଷା ସ୍ଥଗିତ । ଜାରି ରହିବ ଦ୍ୱାଦଶ ପରୀକ୍ଷା । କରୋନା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଓ ଏକାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି । ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବଭଳି ଜାରି ରହିବ । ଏହି ସମୟରେ ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି, କିନ୍ତୁ ଜରୁରୀ ଆଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ କୁହାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କହିଛନ୍ତି

ସପିଂ ମଲ ବନ୍ଦ, ଦୋକାନ ଖୋଲା । ୬ଫୁଟ ଦୂରତା ରଖିବାକୁ ପରାମର୍ଶ । ସିନେମା ହଲ, ସୁଇମିଂ ପୁଲ, ଜିମ ପରେ ଟୁଇନ ସିଟିରେ ବନ୍ଦ ହେଲା ସପିଂ ମଲ । ଓଡିଶା ସହରାଂଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ କମିଶନରେଟ ପୋଲିସ ଲାଗୁ କରିଛି ଏହି କଟକଣା । କିନ୍ତୁ ପରିବା ଦୋକାନ, ଗୋସରୀ ଦୋକାନ, କ୍ଷୀର ଦୋକାନ, ଔଷଧ ଏବଂ ଫଳ ଆଦି ଦୋକାନ ଖୋଲା ରହିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ । ତେବେ ଦୋକାନ ବଜାର ବା କୌଣସି କାର୍ଯ୍ୟାଳୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ୬ ଫୁଟର ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ରାଜ୍ୟର ସହରାଂଚଳରେ ଦିନ ୨ଟା ପରେ ସମସ୍ତ ପାର୍କ ବନ୍ଦ ରଖିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦିଆଯାଇଛି ।

ବସରେ ଓଭରଲୋଡିଂ ମନା । ସିଟରୁ ଅଧିକ ଯାତ୍ରୀ ନନେବାକୁ ନିର୍ଦ୍ଦେଶ । କରୋନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ । ବସରେ ଓଭରଲୋଡିଂ ନକରି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଲବ୍ଧ ଥିବା ସିଟରୁ ଅଧିକ ଲୋକଙ୍କୁ ବସରେ ନେବାକୁ ଏଥିରେ କୁହାଯାଇଛି । ସେହିପରି ବସର ଡ୍ରାଇଭର ଏବଂ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ସହ ସ୍ୱଚ୍ଚତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଛି ।

କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ସତର୍କତା ଓ ସେଚତନା ବଡ଼ ଅସ୍ତ୍ର ପାଲଟି ଥିବାରୁ ଏହା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ଆଉ ଓଡିଶାର ସମସ୍ତ ଲୋକ ମଧ୍ୟ ସ୍ୱଚ୍ଛତା ବଜାୟ ରଖିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।