ଚିନ୍ତା ବଢ଼ାଉଛି କରୋନର ଦ୍ୱିତୀୟ ଲହର । ୨୪ ଘଂଟାରେ ଦେଶରେ ୬୮ ହଜାରରୁ ଅଧିକ ପଜିଟିଭ୍, ଅକ୍ଟୋବର ୧୧ ତାରିଖ ପରେ ସବୁଠୁ ଅଧିକ ସଂକ୍ରମଣ ।

158

କନକ ବ୍ୟୁରୋ: ଦେଶରେ ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଗତିରେ ମାଡିଚାଲିଛି । ତଳମୁହାଁ ହେବା ନାଁ ଧରୁନାହିଁ କରୋନା ଗ୍ରାଫ । ଗତ ୫ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ – ୨୪ ଘଂଟାରେ ୬୮,୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଅକ୍ଟୋବର ୧୧ ତାରିଖ ପରେ ଏହା ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଦିନକ ପୂର୍ବରୁ ଏହା ଥିଲା ୬୨,୭୧୪ । ମାର୍ଚ୍ଚ ୨୭ ତାରିଖରେ ୬୨,୨୫୮, ୨୬ ତାରିଖରେ ୫୯,୧୧୮ ଏବଂ ୨୫ ତାରିଖରେ ୫୩,୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଦେଶର କରୋନା ମିଟର

୨୯ ମାର୍ଚ୍ଚ – ୬୮,୦୨୦

୨୮ ମାର୍ଚ୍ଚ – ୬୨,୭୧୪

୨୭ ମାର୍ଚ୍ଚ – ୬୨,୨୫୮

୨୬ ମାର୍ଚ୍ଚ – ୫୯,୧୧୮

୨୫ ମାର୍ଚ୍ଚ – ୫୩,୩୬୪

ଯଦି ଏହି ହାରରେ ସଂକ୍ରମଣ ଉପରକୁ ଉଠେ, ତେବେ ସ୍ଥିତି ଅସମ୍ଭାଳ ହେବାକୁ ଅଧିକ ଦିନ ଲାଗିବ ନାହିଁ । ଅବଶ୍ୟ ଗତ ୨୪ ଘଂଟାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଏବେ ନଜର ପକାନ୍ତୁ କେଉଁ ହାରରେ ହେଉଛି ଦେଶରେ କରୋନା ମୃତ୍ୟୁ । ଦିନକରେ ୨୯୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ସପ୍ତାହ ପୂର୍ବରୁ ହାରାହାରି ୨୧୨ ଜଣ ମୃତ୍ୟୁ ମୁଖରେ ପଡିଥିଲେ । ୨ ସପ୍ତାହ ପୂର୍ବରୁ ୧୧୮ ଏବଂ ୪ ସପ୍ତାହ ପୂର୍ବରୁ ହାରାହାରି ମୃତ୍ୟୁ ଥିଲା ୧୦୬ ।

ଦେଶରେ କରୋନା ମୃତ୍ୟୁ 

ମାର୍ଚ୍ଚ ୨୯ – ୨୯୧

୧ ସପ୍ତାହ ପୂର୍ବରୁ – ୨୧୨

୨ ସପ୍ତାହ ପୂର୍ବରୁ – ୧୧୮

୪ ସପ୍ତାହ ପୂର୍ବରୁ –  ୧୦୬

ସେପଟେ ସବୁଠୁ ଚିନ୍ତାଜନକ ହେଉଛି ମହାରାଷ୍ଟ୍ରର କରୋନା ସ୍ଥିତି । ଦେଶରେ ଯେତିକି ନୂଆ ସଂକ୍ରମଣ ହେଉଛି ତାହାର ପ୍ରାୟ ଏକ-ତୃତୀୟାଂଶ ମାମଲା ଆସୁଛି ମହାରାଷ୍ଟ୍ରରୁ । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଲଗାତର ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ୨୪ ଘଂଟାରେ ୪୦,୪୧୪ ନୂଆ ମାମଲା ଆସିଛି । ଏହି ସମୟ ମଧ୍ୟରେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ଠାରୁ ସାରା ରାଜ୍ୟରେ ନାଇଟ କର୍ପ୍ୟୁ ଆରମ୍ଭ ହୋଇଛି । ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଲୋକେ କରୋନା କଟକଣା ମାନୁନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟରେ ଲକଡାଉନ ପାଇଁ ରଣନୀତି ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ରର କରୋନା ସ୍ଥିତି

୨୪ ଘଂଟାରେ ୪୦,୪୧୪ ଆକ୍ରାନ୍ତ

ଦିନକରେ ୧୦୮ ମୃତ୍ୟୁ

ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଆରମ୍ଭ 

ସୀମିତ ଲକଡାଉନ ପାଇଁ ପ୍ରସ୍ତୁତ ହେଉଛି ମହାରାଷ୍ଟ୍ର